ଭୁବନେଶ୍ୱର, ୨୮ ଜୁଲାଇ | ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ୟୁନିଟ-୨ ରେ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଲୋକଙ୍କ ଦୁଃଖ ଓ ସମସ୍ୟା ନିଜେ ଶୁଣି ନିବାରଣ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ଅଭିଯୋଗ ଶୁଣାଣି ପୂର୍ବରୁ ସେ ଦିବ୍ୟାଙ୍ଗ ଅଭିଯୋଗକାରୀମାନେ ଯେଉଁମାନେ ବାହାରେ ଅପେକ୍ଷା କରୁଥିଲେ, ସେମାନଙ୍କୁ ନିଜେ ଯାଇ ଭେଟି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ।
ଅଭିଯୋଗ ପ୍ରକୋଷ୍ଠ ଭିତରେ ପଞ୍ଜିକୃତ ଅଭିଯୋଗକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମଣ୍ଡଳର ୯ଜଣ ବରିଷ୍ଠ ମନ୍ତ୍ରୀ ମିଶି ଶୁଣିଥିଲେ। ସମ୍ପୃକ୍ତ ବିଭାଗମାନଙ୍କ ସଚିବମାନେ ଏଥିପାଇଁ ଉପସ୍ଥିତ ଥିବା ସମୟରେ ତତ୍କାଳ ଦିଶାନିର୍ଦ୍ଦେଶ ଦିଆଯାଇଥିଲା।
ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମ ମାଧ୍ୟମରେ ଗୁରୁତର ରୋଗରେ ପୀଡିତ ଅଭିଯୋଗକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ତୁରନ୍ତ ଚିକିତ୍ସା ସହାୟତା ଦିଆଯାଉଛି। ଆଜି ୩ ଜଣ ଅସୁସ୍ଥ ବ୍ୟକ୍ତିଙ୍କୁ ଚିକିତ୍ସା ସହାୟତା ରାଶି ପ୍ରଦାନ କରାଯାଇଛି। ଚଳିତ ବର୍ଷ ଆରମ୍ଭରୁ ୫୧ ଜଣ ଲୋକ ପାଇଁ ୫୫ ଲକ୍ଷ ଟଙ୍କା ମୁକ୍ତାୟନ ହୋଇଛି।
ଏହି କାର୍ଯ୍ୟକ୍ରମର ଦ୍ୱାଦଶ ପାଳି ସୁଦ୍ଧା ୧୧,୫୧୬ଟି ଅଭିଯୋଗ ମଧ୍ୟରୁ ୧୦,୫୦୨ଟି ଅଭିଯୋଗର ସମାଧାନ ହୋଇଛି। ଯାହା ୯୧% ହିସାବରେ ଅଙ୍କିତ ହୋଇଛି। ବକି ଅଭିଯୋଗ ଗୁଡିକ ପ୍ରକ୍ରିୟାଧୀନ ଅବସ୍ଥାରେ ଅଛି।
ଏହି ଅଭିଯୋଗ ଶୁଣାଣିକୁ ଗୃହ ବିଭାଗ, ରାଜସ୍ୱ, ସ୍ୱାସ୍ଥ୍ୟ, ପୂର୍ତ୍ତ, ବିପର୍ଯ୍ୟୟ ପରିଚାଳନା, ଉଚ୍ଚ ଶିକ୍ଷା, କ୍ରୀଡା, ବ୍ୟବସାୟ, ଶିଳ୍ପ ଓ ଅନ୍ୟାନ୍ୟ ବିଭାଗର ମନ୍ତ୍ରୀମାନେ ଏବଂ ସଚିବ ସ୍ତରୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସଂଯୁକ୍ତ ଭାବେ ଅନୁଷ୍ଠାନ କରିଛନ୍ତି।





