ଭୁବନେଶ୍ୱର/ଝାରସୁଗୁଡ଼ା:
ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଯୋଗୁଁ ସମ୍ଭାବ୍ୟ ଭାରୀ ବର୍ଷା ଓ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ନେଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଝାରସୁଗୁଡ଼ାରୁ ୧୭ଟି ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ସମୀକ୍ଷା ବୈଠକ କରିଥିଲେ।
ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ୨୪ ଘଣ୍ଟା କାର୍ଯ୍ୟରତ ନିୟନ୍ତ୍ରଣ କକ୍ଷ ଚାଲୁ ରଖିବାକୁ, ପରିବର୍ତ୍ତିତ ପରିସ୍ଥିତିର ତଥ୍ୟ ନିୟମିତ ଅପଡେଟ୍ କରିବାକୁ ଏବଂ ସହରାଞ୍ଚଳରେ ଜଳଜମାଟ ନିବାରଣ ପାଇଁ ପୂର୍ବପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ବିଶେଷକରି ନଦୀ ଓ କେନାଲ ବନ୍ଧର ଦୁର୍ବଳ ସ୍ଥାନଗୁଡ଼ିକରେ କଡା ନଜର ରଖିବାକୁ ଓ ସମୟରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।
ପାଣିପାଗ ବିଭାଗର ପୂର୍ବାଭାସ ଅନୁଯାୟୀ, କୋରାପୁଟ, ମାଲକାନଗିରି ଓ କଳାହାଣ୍ଡିରେ ଭାରୀ ବର୍ଷା ହେବାର ସମ୍ଭାବନା ଅଛି। ସେଥିପାଇଁ ନବରଙ୍ଗପୁର, ଗଜପତି, କନ୍ଧମାଳ, ପୁରୀ, କଟକ ସହ ୧୭ଟି ଜିଲ୍ଲାକୁ ସତର୍କ କରାଯାଇଛି।
ଅତିରିକ୍ତ ସତର୍କତା ଭାବେ ଓଡ୍ରାଫ ଏବଂ ଅଗ୍ନିଶମ ସେବା ୟୁନିଟ୍ଗୁଡ଼ିକୁ ବନ୍ୟା-ପ୍ରଭାବିତ ଓ ତଳିଆ ଅଞ୍ଚଳରେ ନିୟୋଜନ କରିବାକୁ, ଏହା ସହିତ ପାହାଡ଼ିଆ ଅଞ୍ଚଳରେ ସମ୍ଭାବ୍ୟ ଭୂସ୍ଖଳନ ପାଇଁ ବିଶେଷ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ଜୋର ଦେଇଥିଲେ।
ସମୀକ୍ଷା ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ବିଭିନ୍ନ ବିଭାଗର ମନ୍ତ୍ରୀମାନେ, ମୁଖ୍ୟ ସଚିବ, ପୁଲିସ ମହାନିର୍ଦ୍ଦେଶକ ଓ ସମ୍ପର୍କିତ ଅଧିକାରୀମାନେ ଯୋଗ ଦେଇଥିଲେ।