ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ସ୍ୱର୍ଗତ ମାଆ ହୀରାବେନଙ୍କୁ ନେଇ ଏଆଇ ଟେକ୍ନୋଲୋଜିରେ ତିଆରି ହୋଇଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିହାର କଂଗ୍ରେସ ଆଇଟି ସେଲ ବିରୋଧରେ ମାମଲା ରୁଜୁ ହୋଇଛି।

ଦିଲ୍ଲୀ ବିଜେପି ନିର୍ବାଚନ ସେଲ ସଂଯୋଜକ ସଙ୍କେତ ଗୁପ୍ତାଙ୍କ ଅଭିଯୋଗରୁ, ନର୍ଥ ଆଭେନ୍ୟୁ ପୋଲିସ ଷ୍ଟେସନରେ ଏଫଆଇଆର କରାଯାଇଛି। ଅଭିଯୋଗରେ କୁହାଯାଇଛି, ୧୦ ସେପ୍ଟେମ୍ବର ସନ୍ଧ୍ୟା ୬ଟା ୧୨ରେ କଂଗ୍ରେସ (ଆଇଏନସି ବିହାର)ର ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଏକ୍ସ ପ୍ଲାଟଫର୍ମରେ ଏଆଇ ଜେନେରେଟେଡ୍ ନକଲି ଭିଡିଓ ପୋଷ୍ଟ କରାଯାଇଥିଲା।

ବିଜେପି ପକ୍ଷରୁ କୁହାଯାଇଛି, ଏହି ଭିଡିଓ ପ୍ରଧାନମନ୍ତ୍ରୀଙ୍କ ପ୍ରତିଷ୍ଠାକୁ ନଷ୍ଟ କରିବା ସହିତ ସ୍ତ୍ରୀମାନଙ୍କ ମର୍ଯ୍ୟାଦା ଓ ମାତୃତ୍ୱକୁ ଅପମାନ କରିଛି। ସେହିପରି, ୨୭-୨୮ ଅଗଷ୍ଟରେ ବିହାରର ଦରଭଙ୍ଗାରେ ହୋଇଥିବା କଂଗ୍ରେସ-ଆରଜେଡିଙ୍କ ଯାତ୍ରା ସମୟରେ ମୋଦୀ ଓ ତାଙ୍କ ମାଆଙ୍କ ବିରୁଦ୍ଧରେ ଅଶ୍ଳୀଳ ମନ୍ତବ୍ୟ ହୋଇଥିବା ଅଭିଯୋଗ ମଧ୍ୟ ଉଠିଛି।