ଭୁବନେଶ୍ୱର, ୧୯ ଅଗଷ୍ଟ୍: ବିଜେଡି ସୁପ୍ରିମୋ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ହସ୍ପିଟାଲରୁ ସୁସମ୍ବାଦ ଆସିଛି। ବର୍ତ୍ତମାନ ସେ ସ୍ଥିର ଅଛନ୍ତି ଏବଂ ସୁସ୍ଥ ଅନୁଭବ କରୁଛନ୍ତି।

ଗତ ରବିବାର ସଂଧ୍ୟାରେ ଡିହାଇଡ୍ରେସନ କାରଣରୁ ତାଙ୍କୁ ଭୁବନେଶ୍ୱରର ସମ ଅଲଟିମେଟ ମେଡିକେୟାରରେ ଭର୍ତ୍ତି କରାଯାଇଥିଲା। ସୋମବାର ଆଇସିୟୁରୁ ତାଙ୍କୁ ଏକ କେବିନକୁ ସ୍ଥାନାନ୍ତର କରାଯାଇଛି। ମଙ୍ଗଳବାର ହସ୍ପିଟାଲ ପକ୍ଷରୁ ଜାରି ହୋଇଥିବା ସୂଚନାନୁସାରେ, ନବୀନଙ୍କ ସ୍ବାସ୍ଥ୍ୟାବସ୍ଥାରେ ସ୍ପଷ୍ଟ ଉନ୍ନତି ଦେଖାଯାଇଛି। ସେ ଡାକ୍ତରମାନଙ୍କ ସହ କଥା ହେଉଛନ୍ତି ଏବଂ ସାଧାରଣ କାର୍ଯ୍ୟକଳାପରେ ସାମିଲ ହେଉଛନ୍ତି।

ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଡାକ୍ତରମାନେ ଓ ହସ୍ପିଟାଲ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ସମର୍ଥକମାନଙ୍କୁ ନିଜର ସୁସ୍ଥତା ପରେ ନବୀନ ନିବାସରେ ଭେଟିବାକୁ ଅନୁରୋଧ କରିଛନ୍ତି।

ଇତିମଧ୍ୟରେ, ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ସମର୍ଥକମାନେ ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଖବର ନେବା ପାଇଁ ହସ୍ପିଟାଲ ନିକଟରେ ଜମା ହୋଇଥିଲେ।