ଭଦ୍ରକ: ଚତୁର୍ଥଥର ପାଇଁ ରାଜ୍ୟ ବିଜେପିର ସଭାପତି ହୋଇଥିବାରୁ ମନମୋହନ ସାମଲଙ୍କୁ ଆଜି ଜନ୍ମମାଟି ଭଦ୍ରକରେ ବିଜେପି ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ପ୍ରାୟ ୫,୦୦୦ରୁ ଅଧିକ ସମର୍ଥକଙ୍କ ସହଭାଗୀତାରେ ବାଜା-ବାଣ ସହ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା।

ଶୋଭାଯାତ୍ରା ଗେଲପୁର ଛକରୁ ଆରମ୍ଭ ହୋଇ ସହର ଦେଇ ଚରମ୍ପାର ଅଗ୍ରସେନ ଭବନ ପର୍ଯ୍ୟନ୍ତ ପହଞ୍ଚିଥିଲା। ସୁସଜ୍ଜିତ ଖୋଲାଗାଡ଼ିରେ ବସାଇ ନିଆଯାଇଥିବା ମନମୋହନଙ୍କୁ ବିଭିନ୍ନ ସାମାଜିକ ସଂଗଠନ, ଦଳୀୟ କର୍ମକର୍ତ୍ତା ଓ ନେତାମାନେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା ଜଣାଇଥିଲେ।

ଅଗ୍ରସେନ ଭବନରେ ଅନୁଷ୍ଠିତ ସଭାରେ ମନମୋହନ ସାମଲ କହିଥିଲେ, “ଓଡିଶାରେ ସରକାର ବଦଳିବାରେ ଭଦ୍ରକର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଛି। ଓଡିଶାର ବିକାଶ ଭଦ୍ରକରୁ ଆରମ୍ଭ ହେବ। ଶୀଘ୍ର ମେଡିକାଲ କଲେଜ, ବିଶ୍ୱବିଦ୍ୟାଳୟ, ଟେକ୍ସଟାଇଲ ପାର୍କ ଭଦ୍ରକରେ ପ୍ରତିଷ୍ଠିତ ହେବ।”

ଏହି ସମ୍ବର୍ଦ୍ଧନା ସଭାରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲ୍ଲା ସଭାପତି ଭଗବାନ ପଣ୍ଡା, ଅଜୟ ନାୟକ, ଡା. ସୁଧାଂଶୁ ନାୟକ, ବାଣୀକଲ୍ୟାଣ ମହାପାତ୍ର ସହିତ ବିଜେପି ଓ ସଂଶ୍ଳିଷ୍ଟ ସଂଗଠନର ଅନେକ କର୍ମୀ-ନେତାମାନେ ଉପସ୍ଥିତ ଥିଲେ।