ନୂଆଦିଲ୍ଲୀ, ୮ ଅଗଷ୍ଟ: ପାକିସ୍ତାନୀ ବିଶେଷଜ୍ଞ ମୁକ୍ତାଦର ଖାନଙ୍କ ମତାନୁସାରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୫ ପ୍ରତିଶତ ଜରିମାନାକୁ ଭାରତ ଉପରେ ପ୍ରୟୋଗ ନ କରିପାରନ୍ତି ଏବଂ ଏହି ହାରକୁ କମେଇବାର ସମ୍ଭାବନା ମଧ୍ୟ ରହିଛି। ସେ ଭାବନ୍ତି ଯେ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସହ ଟ୍ରମ୍ପଙ୍କ ସାକ୍ଷାତ୍ ପରେ ଏପରି ନିଷ୍ପତ୍ତି ନେଇହେବା ସମ୍ଭବ।
ରୁଷିଆ ଜଣାଇଛି, ପୁଟିନ ଏବଂ ଟ୍ରମ୍ପ ଶୀଘ୍ରେ ସାକ୍ଷାତ କରିପାରନ୍ତି। ମୁକ୍ତାଦର ଖାନ କହିଛନ୍ତି, ଭାରତ ଓ ଆମେରିକାରେ ବାଣିଜ୍ୟ ସମ୍ପର୍କିତ ଆଲୋଚନା ଜାରି ରହିଥିବାରୁ, ବର୍ତ୍ତମାନ ଲାଗୁଥିବା ଶୁଳ୍କ ଓ ଦଣ୍ଡକୁ ଚୂଡ଼ାନ୍ତ ବୋଲି ଧରାଯିବା ଉଚିତ ନୁହେଁ।
ବର୍ତ୍ତମାନ, ଭାରତ ଉପରେ ୨୫ ପ୍ରତିଶତ ପାରସ୍ପରିକ ଶୁଳ୍କ କାର୍ଯ୍ୟକାରୀ ହୋଇଛି ଏବଂ ୨୫ ପ୍ରତିଶତ ଜରିମାନା ୨୭ ଅଗଷ୍ଟ ପରେ ଲାଗୁ ହେବ। କିନ୍ତୁ, ଏହାର ପୂର୍ବରୁ, UAE ରେ ପୁଟିନ ଓ ଟ୍ରମ୍ପଙ୍କ ସାକ୍ଷାତରେ ଭାରତ ପାଇଁ ରାହତ ଆସିପାରେ।
ସେ ଅନୁମାନ କରିଛନ୍ତି ଯେ, ଯଦି ଦୁଇ ନେତାଙ୍କ ମିଟିଂରେ ଯୁଦ୍ଧବିରତିର ପଥ ସ୍ପଷ୍ଟ ହୁଏ, ତେବେ ଭାରତ ଉପରେ ଟାରିଫ୍ର କୌଣସି ଅର୍ଥ ରହିବ ନାହିଁ। ଏହା ସହ, ଭାରତ-ଆମେରିକା ଆଲୋଚନାରେ ପ୍ରଗତି ହେଲେ, ୨୫ ପ୍ରତିଶତ ଶୁଳ୍କକୁ ୧୫ ପ୍ରତିଶତକୁ କମେଇବାର ଆଶା ରହିଛି।