ନୂଆଦିଲ୍ଲୀ: ଆମେରିକା ଦ୍ୱାରା ଭାରତୀୟ ଉତ୍ପାଦନ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବା ପରେ ଦେଶରେ ଅସନ୍ତୋଷର ପରିବେଶ ସୃଷ୍ଟି ହୋଇଛି। ଚାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ୍ ଇଣ୍ଡଷ୍ଟ୍ରି (ସିଟିଆଇ) ସତର୍କ କରିଛି ଯେ, ଏହି ପଦକ୍ଷେପ ଯୋଗୁଁ ବସ୍ତ୍ର, ଚମଡ଼ା, ଗହଣା, ଅଟୋମୋବାଇଲ୍ ପାର୍ଟସ୍, ରସାୟନ, ଫାର୍ମା, ସିଫୁଡ୍ ଓ ଇଲେକ୍ଟ୍ରୋନିକ୍ସ ଭଳି କ୍ଷେତ୍ରରେ ଲକ୍ଷାଧିକ ଚାକିରି ହାନି ହେବାର ଆଶଙ୍କା ରହିଛି।

ଏହି ପରିସ୍ଥିତିରେ ଆମ୍ ଆଦମୀ ପାର୍ଟି ସଂଯୋଜକ ଅରବିନ୍ଦ କେଜରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆହ୍ୱାନ କରି କହିଛନ୍ତି, “ଯଦି ଆମେରିକା ୫୦ ପ୍ରତିଶତ ଶୁଳ୍କ ଲଗାଇଛି, ତେବେ ଭାରତକୁ ମଧ୍ୟ ୧୦୦ ପ୍ରତିଶତ ଶୁଳ୍କ ଲଗାଇ ପ୍ରତିକ୍ରିୟା କରିବା ଉଚିତ। ସାହସ ଦେଖାନ୍ତୁ, ଆମେ ସମସ୍ତେ ଆପଣଙ୍କ ସହିତ ଠିଆ ଅଛୁ।”

ସେ ଟ୍ରମ୍ପଙ୍କୁ “ଡରୁଆ ବ୍ୟକ୍ତି” ବୋଲି ବର୍ଣ୍ଣନା କରି, କହିଛନ୍ତି ଯେ ସେ ସଦା ଏକପାଖିଆ ନିଷ୍ପତ୍ତି ନେନ୍ତି। କେଜରିୱାଲଙ୍କ ଅଭିଯୋଗ, ଟ୍ରମ୍ପଙ୍କ ୫୦% ଶୁଳ୍କର ପ୍ରଭାବରେ ଭାରତୀୟ ସାମଗ୍ରୀ ୩୫% ମହଙ୍ଗା ହେବ ଏବଂ ୪୮୦୦ କୋଟି ଡଲାରର ରପ୍ତାନିରେ ସିଧାସଳଖ ପ୍ରଭାବ ପଡ଼ିବ।

ସେ ପ୍ରଶ୍ନ ଉଠାଇଛନ୍ତି, “ଚୀନ୍ ଓ କାନାଡା ଭଳି ଦେଶ ଯେପରି ଆମେରିକାକୁ ଚାପରେ ରଖିଥିଲେ, ଭାରତ କାହିଁକି ସେହି ସାହସ ଦେଖାଇପାରୁନାହିଁ?”