ଭୁବନେଶ୍ୱର (୪ ଜୁଲାଇ): ବିଜେଡି ମୁଖପାତ୍ର ଓ ବାଲେଶ୍ୱର ସଂସଦୀୟ କ୍ଷେତ୍ରର ପ୍ରାର୍ଥିନୀ ଲେଖାଶ୍ରୀ ସାମନ୍ତସିଂହା ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆଙ୍କ ବିରୋଧରେ ଭୁବନେଶ୍ୱର ମହିଳା ଥାନାରେ ଏତଲା ଦେଇଛନ୍ତି। ବିଧାୟକଙ୍କ ଦ୍ୱାରା ତାଙ୍କ ପ୍ରତି ଦିଆଯାଇଥିବା ଅଶାଳୀନ ମନ୍ତବ୍ୟ ନେଇ ଏହି ଅଭିଯୋଗ ହୋଇଛି।
ଥାନାଧିକାରିଣୀ ଭାଗ୍ୟଶ୍ରୀ ସ୍ବାଇଁ ସୂଚନା ଦେଇଛନ୍ତି ଯେ, ଲେଖାଶ୍ରୀଙ୍କ ଅଭିଯୋଗକୁ ଆଧାର କରି ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ଅନୁସାରେ ଦଫା ୭୫(୨), ୭୯, ୨୯୬, ୩୫୬ ଅନୁଯାୟୀ ମାମଲା ରୁଜୁ (ମାମଲା ନଂ. ୧୭୧/୨୦୨୫) କରାଯାଇଛି ଓ ତଦନ୍ତ ଆରମ୍ଭ ହୋଇଛି।
ଅନ୍ୟପଟେ, ହାତୀ ଶିକାର ଓ ଦାନ୍ତ ଚୋରି ମାମଲାକୁ କେନ୍ଦ୍ର କରି ବିଜେଡି ଓ ବିଜେପି ମଧ୍ୟରେ ସୋସିଆଲ୍ ମିଡିଆରେ ଗରମ ଅଭିଯୋଗ-ପ୍ରତ୍ୟାରୋପ ଲାଗି ରହିଛି। ବିଜେଡି ପକ୍ଷରୁ ବିଧାୟକ ସନ୍ତୋଷଙ୍କ ଉପରେ ଏହି ଅବୈଧ କାର୍ଯ୍ୟରେ ଜଡିତ ଥିବା ଅଭିଯୋଗ ମୁଖରିତ ହେବା ପରେ ବିଧାୟକ ଲେଖାଶ୍ରୀଙ୍କ ବିରୋଧରେ ଅପମାନଜନକ ଭାଷା ବ୍ୟବହାର କରିଥିବା ଦାବି ହୋଇଛି।
ଏ ନେଇ ଗୁରୁବାର ଦିନ ବିଜେଡି ପକ୍ଷରୁ ଶଂଖଭବନରେ ଆୟୋଜିତ ଗୋଟିଏ ଖବରଦାତା ସମ୍ମିଳନୀରେ ଲେଖାଶ୍ରୀଙ୍କୁ ନିମ୍ନ ମାନସିକତାର ଅପମାନଜନକ ଶବ୍ଦରେ ଲକ୍ଷ୍ୟ କରାଯାଇଥିବା ଅଭିଯୋଗ ଆଣାଯାଇଛି।