କୋଲକାତା, ୨୭/୧୨: ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ରାଜନୈତିକ ପାରା ତୀବ୍ର ହୋଇଉଠିଛି। ବାଙ୍କୁରାରେ ଏକ ସାଧାରଣ ସଭାକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ କଡା ଆକ୍ରମଣ କରିଛନ୍ତି। ସେ ଉଭୟଙ୍କୁ ମହାଭାରତର ଦୁର୍ଯୋଧନ ଓ ଦୁଃଶାସନ ସହ ତୁଳନା କରିଥିବା ସହ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ କେନ୍ଦ୍ର ସରକାରଙ୍କୁ ସିଧାସଳଖ ପ୍ରଶ୍ନ ଉଠାଇଛନ୍ତି।
ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗରେ ଆତଙ୍କବାଦୀ ନେଟୱାର୍କ ସକ୍ରିୟ ଥିବା ଏବଂ ଅନୁପ୍ରବେଶ ବୃଦ୍ଧି ପାଉଥିବା ଅଭିଯୋଗ କରିଥିବା ପରେ, ତାହାର ପ୍ରତିକ୍ରିୟାରେ ମମତା କହିଛନ୍ତି ଯେ ବିଜେପି ନିର୍ବାଚନୀ ସ୍ୱାର୍ଥ ପାଇଁ ପଶ୍ଚିମବଙ୍ଗର ଭାବମୂର୍ତ୍ତିକୁ ଖରାପ କରୁଛି। ସେ ପ୍ରଶ୍ନ କରିଛନ୍ତି—ଆତଙ୍କବାଦୀମାନେ ଯଦି ପଶ୍ଚିମବଙ୍ଗରେ ଅଛନ୍ତି, ତେବେ ପହଲଗାମ ଆକ୍ରମଣ କେମିତି ଘଟିଲା? ଏହା ପଛରେ କେନ୍ଦ୍ର ସରକାରର କୌଣସି ଭୂମିକା ଥିଲା କି?
ବୀରସିଂହପୁରରେ ହୋଇଥିବା ସଭାରେ ମମତା ବ୍ୟଙ୍ଗାତ୍ମକ ଶୈଳୀରେ କହିଛନ୍ତି, ନିର୍ବାଚନ ଆସିଲେ ଦୁର୍ଯୋଧନ ଓ ଦୁଃଶାସନ ପଶ୍ଚିମବଙ୍ଗକୁ “ସୂଚନା ସଂଗ୍ରହ” ପାଇଁ ଆସନ୍ତି। ଅମିତ ଶାହ ବର୍ତ୍ତମାନ ରାଜ୍ୟରେ ତିନି ଦିନିଆ ଗସ୍ତରେ ଥିବା ପରିପ୍ରେକ୍ଷିତରେ ଏହି ମନ୍ତବ୍ୟକୁ ରାଜନୈତିକ ଭାବେ ଗୁରୁତ୍ୱପୂର୍ଣ୍ଣ ମନାଯାଉଛି।
ଅନ୍ୟପଟେ, ଅମିତ ଶାହ ପୂର୍ବରୁ ଅଭିଯୋଗ କରିଥିଲେ ଯେ ଭୋଟ ବ୍ୟାଙ୍କ ରାଜନୀତି ପାଇଁ ମମତା ସରକାର ଅନୁପ୍ରବେଶକୁ ପ୍ରୋତ୍ସାହନ ଦେଉଛି ଏବଂ ସୀମାରେ ବାଡ଼ ନିର୍ମାଣ ପାଇଁ ଜମି ଯୋଗାଇ ଦେଉନାହିଁ। ସେ ଦାବି କରିଥିଲେ, ୨୦୨୬ରେ ବିଜେପି କ୍ଷମତାରେ ଆସିଲେ ହିଁ ପଶ୍ଚିମବଙ୍ଗର ସଂସ୍କୃତି ଓ ସୁରକ୍ଷା ସୁନିଶ୍ଚିତ ହେବ।
ତେବେ ମମତା ବାନାର୍ଜୀ ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ କେନ୍ଦ୍ର ସରକାର ନିଜ ବିଫଳତାକୁ ଲୁଚାଇବା ପାଇଁ ରାଜ୍ୟ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣୁଛି। ଏହି ବୟାନ ପରେ ପଶ୍ଚିମବଙ୍ଗରେ ରାଜନୈତିକ ମୁକାବିଲା ଆଉ ତୀବ୍ର ହେବାର ସଙ୍କେତ ମିଳିଛି।





