ଇସଲାମାବାଦ: ପାକିସ୍ତାନ ଆଧାରିତ ଆତଙ୍କବାଦୀ ସଙ୍ଗଠନ ଜୈସ୍-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାର ପୁଣିଥରେ ଏକ ଅଡିଓ ବାର୍ତ୍ତା ମାଧ୍ୟମରେ ଧମକମୂଳକ ବକ୍ତବ୍ୟ ଦେଇଛି। ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ଏହି ଅଡିଓରେ ସେ ଦାବି କରିଛି ଯେ, ତାଙ୍କ ସଙ୍ଗଠନ ପାଖରେ ହଜାରେରୁ ଅଧିକ ଆତ୍ମଘାତୀ ଆକ୍ରମଣକାରୀ ରହିଛନ୍ତି ଏବଂ ସେମାନେ ଯେକୌଣସି ସମୟରେ ଆକ୍ରମଣ ପାଇଁ ପ୍ରସ୍ତୁତ।
ଅଡିଓ ବାର୍ତ୍ତାରେ ମାସୁଦ ଆଝାର କହିଛି, ତାଙ୍କ ସଙ୍ଗଠନର ଆତଙ୍କବାଦୀମାନେ କୌଣସି ସାଂସାରିକ ସୁବିଧା, ବ୍ୟକ୍ତିଗତ ଲାଭ କିମ୍ବା ସୁଖ ଆଶା କରୁନାହାନ୍ତି। ସେ ଦାବି କରିଛି ଯେ, ଯଦି ତାଙ୍କ ସଙ୍ଗଠନର ଆତଙ୍କବାଦୀଙ୍କ ସଂଖ୍ୟା ସାର୍ବଜନୀନ କରାଯାଏ, ତେବେ ସାରା ବିଶ୍ୱର ଗଣମାଧ୍ୟମରେ ହଇଚଇ ସୃଷ୍ଟି ହେବ। ଏହାକୁ ନେଇ ଜୈସ୍ ପାଖରେ ବହୁ ସଂଖ୍ୟାରେ ପ୍ରଶିକ୍ଷିତ କ୍ୟାଡର ଥିବା ଚର୍ଚ୍ଚା ଜୋର ଧରିଛି।
ସୁରକ୍ଷା ବିଶେଷଜ୍ଞମାନଙ୍କ ମତରେ, ଏପରି ଧମକମୂଳକ ଅଡିଓ ଓ ବକ୍ତବ୍ୟ ସାଧାରଣତଃ ସେତେବେଳେ ଜାରି କରାଯାଏ, ଯେତେବେଳେ ଆତଙ୍କବାଦୀ ସଙ୍ଗଠନ ଚାପରେ ରହିଥାଏ କିମ୍ବା ନିଜ କ୍ୟାଡରଙ୍କ ମନୋବଳ ବୃଦ୍ଧି କରିବାକୁ ଚେଷ୍ଟା କରେ।
ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ମେ’ ମାସରେ ଭାରତ ପାକିସ୍ତାନରେ ଅବସ୍ଥିତ ଜୈସ୍-ଏ-ମହମ୍ମଦର କିଛି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା, ଯେଉଁଥିରେ ସଙ୍ଗଠନର ଅନେକ ସଦସ୍ୟ ନିହତ ହୋଇଥିବା କୁହାଯାଏ। ଏହା ପରେ ମାସୁଦ ଆଝାରର ବକ୍ତବ୍ୟ ତାଙ୍କ ମାନସିକ ଚାପ ଓ ବିଚଳତାକୁ ପ୍ରତିବିମ୍ବିତ କରୁଥିବା ବୋଲି ବିଶେଷଜ୍ଞମାନେ ମନେ କରୁଛନ୍ତି।
ଏହି ଅଡିଓ ବାର୍ତ୍ତା କେଉଁ ତାରିଖର ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ, ଏହା ଜୈସ୍-ଏ-ମହମ୍ମଦ ସହ ସଂପୃକ୍ତ ବୋଲି ଦାବି କରାଯାଉଛି। ସୂଚନାଯୋଗ୍ୟ ଯେ, ୨୦୧୯ ପରେ ମାସୁଦ ଆଝାର ସାର୍ବଜନୀନ ଭାବେ କେଉଁଠି ଦେଖାଯାଇନାହିଁ। ବହାବଲପୁରରେ ତାଙ୍କ ଠିକଣା ଉପରେ ହୋଇଥିବା ଆକ୍ରମଣ ପରେ ସେ ଗୋପନ ଜୀବନ ଯାପନ କରୁଥିବା କୁହାଯାଏ। ବିଭିନ୍ନ ସମୟରେ ତାଙ୍କ ନାମରେ ଏପରି ଅଡିଓ ଓ ଲିଖିତ ବାର୍ତ୍ତା ପ୍ରଚାର କରି ଆତଙ୍କବାଦୀ ସଙ୍ଗଠନ ଭୟର ପରିବେଶ ସୃଷ୍ଟି କରିବା ସହ ନିଜ କ୍ୟାଡରଙ୍କୁ ଉତ୍ସାହିତ କରିବାକୁ ଉଦ୍ୟମ କରୁଥାଏ।





