ଝାରସୁଗୁଡ଼ା, ୨୭ ସେପ୍ଟେମ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଝାରସୁଗୁଡ଼ାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ରାଜ୍ୟ ପାଇଁ ଏକାଧିକ ବୃହତ୍ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି।

ସଭାରୁ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ୧୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ଉପହାର ଦେବା ସହିତ ୬୦,୦୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଉଦ୍‌ଘାଟନ କରିଛନ୍ତି।

ଭିଡିଓ କନଫରେନ୍ସିଂ ଜରିଆରେ ବ୍ରହ୍ମପୁର–ସୁରଟ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସ ରେଳଗାଡ଼ିର ଶୁଭାରମ୍ଭ କରାଗଲା। ସମ୍ବଲପୁର ସିଟି–ସରଲା ରେଳ ଫ୍ଲାଇଓଭର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ, କୋରାପୁଟ–ବାଇଗୁଡ଼ା ଏବଂ ମାନାବାର–କୋରାପୁଟ–ଗୋରାପୁର ରେଳ ଲାଇନର ଦୋହରୀକରଣର ଲୋକାର୍ପଣ ମଧ୍ୟ ହୋଇଛି।

ଭୁବନେଶ୍ୱରରେ ସେମିକଣ୍ଡକ୍ଟର ଓ ଇଏସଡିଏମ ପାର୍କ ପ୍ରତିଷ୍ଠାର ଶିଳାନ୍ୟାସ ସହିତ ରାଜ୍ୟ ସରକାରଙ୍କ ବିଶ୍ୱସ୍ତରୀୟ ଦକ୍ଷତା ବିକାଶ ପ୍ରକଳ୍ପର ଆରମ୍ଭ କରାଗଲା।

ତା ସହିତ ୧୩୦ଟି ଉଚ୍ଚଶିକ୍ଷାନୁଷ୍ଠାନରେ ୱାଇଫାଇ ସେବା ଆରମ୍ଭ, ଭୀମସାର ଓ ଏମକେସିଜି କଲେଜ ଉନ୍ନତୀକରଣ ପାଇଁ ମାଷ୍ଟରପ୍ଲାନ ଲୋକାର୍ପଣ କରାଗଲା।

ଅନ୍ତୋଦୟ ଗୃହ ଯୋଜନା ଅଧୀନରେ ୫୦ ହଜାର ପରିବାରକୁ ଗୃହ ନିର୍ମାଣ ପାଇଁ ମଞ୍ଜୁରି ପତ୍ର ହସ୍ତାନ୍ତର, ଦେଶର ୮ଟି ଆଇଆଇଟିର କ୍ଷମତା ବୃଦ୍ଧି ପ୍ରକଳ୍ପର ଶିଳାନ୍ୟାସ ଏବଂ ସାରା ଦେଶରେ ୪ଜି ସେବା ଆରମ୍ଭ ମଧ୍ୟ ପ୍ରଧାନମନ୍ତ୍ରୀ କରିଛନ୍ତି।