ଭୁବନେଶ୍ୱର, ୧୬ ଅକ୍ଟୋବର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁକ୍ରବାର ବିହାର ଯାଇ, ବାଙ୍କା ଜିଲ୍ଲାରେ ଭାଜପା ପ୍ରାର୍ଥୀଙ୍କ ପକ୍ଷରେ ନିର୍ବାଚନ ପ୍ରଚାର କରିବେ। ଆଦିବାସୀ ପ୍ରବଣ ଏହି ଅଞ୍ଚଳରେ ଆସନ୍ତା ବିଧାନସଭା ନିର୍ବାଚନକୁ ଲକ୍ଷ କରି ସେ ଦଳୀୟ ସଭା ଏବଂ ଜନସମ୍ମେଳନରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ନୂଆପଡ଼ାରୁ ସିଧାସଳଖ ବିହାର ଯିବେ ଏବଂ ପ୍ରଚାର ଶେଷ ହେଲେ ଓଡ଼ିଶାକୁ ଫେରିବେ।
ବିହାରରେ ଆସନ୍ତା ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ପରିସ୍ଥିତି ତିବ୍ର ହେଉଛି। ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି ଗୁରୁବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୪୦ ଜଣ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି।
ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ସ୍ଥାନରେ ଅଛନ୍ତି। ତାଙ୍କ ସହିତ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ, ଧର୍ମେନ୍ଦ୍ର ପ୍ରଧାନ ଏବଂ ଯୁପି, ମହାରାଷ୍ଟ୍ର, ଆସାମ, ମଧ୍ୟପ୍ରଦେଶ ଓ ଦିଲ୍ଲୀର ମୁଖ୍ୟମନ୍ତ୍ରୀମାନେ ସାମିଲ ହୋଇଛନ୍ତି।
ଏହା ସହିତ ଏକାଧିକ କେନ୍ଦ୍ରମନ୍ତ୍ରୀ ଏବଂ ଭୋଜପୁରୀ ଚଳଚ୍ଚିତ୍ର ଅଭିନେତାମାନେ ମଧ୍ୟ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଛନ୍ତି। ମୋହନ ମାଝୀଙ୍କ ଯୋଗଦାନ ବିହାର ନିର୍ବାଚନରେ ଭାଜପା ପାଇଁ ଏକ ପ୍ରଭାବଶାଳୀ ଆକର୍ଷଣ ବୋଲି ଦଳୀୟ ମହଳରେ ମନେ କରାଯାଉଛି।