ଭୁବନେଶ୍ୱର: ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭ ପ୍ରତିଶତ ରହିବାର ପୂର୍ବାନୁମାନ କରାଯାଇଥିଲେ ମଧ୍ୟ ଏହା ପଛରେ ଗୁରୁତର ଚିନ୍ତାଜନକ ପରିସ୍ଥିତି ଲୁକାଇଥିବା ଦାବି କରିଛନ୍ତି କୋରାପୁଟ ସାଂସଦ ଓ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ସ୍ଥାୟୀ ସମିତି ଅଧ୍ୟକ୍ଷ ସପ୍ତଗିରି ଶଙ୍କର ଉଲାକା। ସେ ଶୁକ୍ରବାର ପ୍ରେସ୍‌ ବିବୃତ୍ତି ଜାରି କରି ଏହି ମତ ପ୍ରକାଶ କରିଛନ୍ତି।

ଉଲାକା କହିଛନ୍ତି ଯେ, ଦେଶର ସାମଗ୍ରିକ ଅର୍ଥନୈତିକ ସ୍ଥିରତା ଦେଖାଯାଉଥିଲେ ମଧ୍ୟ ଏହା ଚାକିରି ସୃଷ୍ଟି, ଆୟ ସୁରକ୍ଷା ଓ ଗ୍ରାମୀଣ ଅର୍ଥନୈତିକ ସ୍ଥିରତାରେ ପ୍ରତିଫଳିତ ହୋଇପାରିନାହିଁ। ସର୍ବେକ୍ଷଣରେ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଦୁର୍ବଳତା ଦେଖାଯାଇଥିବା ସହ ଉତ୍ପାଦନ କ୍ଷେତ୍ର ବୃଦ୍ଧିଶୀଳ କର୍ମଶକ୍ତିକୁ ଯଥେଷ୍ଟ ଭାବେ ଅବଶୋଷଣ କରିପାରୁନଥିବା କଥା ସେ ଉଲ୍ଲେଖ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଯୁବ ବେକାରୀ, ଶ୍ରମ କ୍ଷେତ୍ରର ଅନୌପଚାରିକତା ଏବଂ ବିଶେଷକରି ଗ୍ରାମୀଣ, ଆଦିବାସୀ ଓ ପଛୁଆ ଅଞ୍ଚଳରେ ସ୍ଥିର ଆୟର ଅଭାବ ଲକ୍ଷାଧିକ ପରିବାରର ଦୈନିକ ଜୀବନକୁ ପ୍ରଭାବିତ କରୁଛି। ସରକାର ଆର୍ଥିକ ଏକତ୍ରିକରଣକୁ ପ୍ରାଥମିକତା ଦେଉଥିବା ବେଳେ ନିରନ୍ତର ନଗଦ ସ୍ଥାନାନ୍ତର, ସାମାଜିକ ଖର୍ଚ୍ଚର କମିବା ଏବଂ ବିକାଶମୂଳକ ଖର୍ଚ୍ଚର ହ୍ରାସ ସମ୍ଭାବ୍ୟ ଭାବେ ଅର୍ଥନୀତିକୁ ପ୍ରଭାବିତ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।

ଉଲାକାଙ୍କ ଅଭିଯୋଗ ଅନୁସାରେ, ଆର୍ଥିକ ଶୃଙ୍ଖଳା ନାମରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାକୁ ଦୁର୍ବଳ କରାଯାଉଥିବା ସହ ମଜୁରୀ ଦେୟରେ ବିଳମ୍ବ ଓ ପେନସନ ଯୋଜନାର ସୀମାବଦ୍ଧତା ଗରିବ ଲୋକଙ୍କୁ ସିଧାସଳଖ ପ୍ରଭାବିତ କରୁଛି। ଏହା ଦେଶର ସାମଗ୍ରିକ ଚାହିଦାକୁ ମଧ୍ୟ ହ୍ରାସ କରୁଥିବା ଦାବି କରାଯାଇଛି।

ସେ ଆହୁରି କହିଛନ୍ତି ଯେ, ତୃଣମୂଳ ସ୍ତରରେ ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକୁ ଦୁର୍ବଳ କରାଯାଉଛି ଏବଂ ବିଭିନ୍ନ ଯୋଜନା କାର୍ଯ୍ୟକାରଣ ପାଇଁ ଆବଶ୍ୟକ ଗ୍ରାମସଭାକୁ ଅଣଦେଖା କରାଯାଉଛି। ଜଳ ଜୀବନ ମିଶନ ଓ ଗ୍ରାମୀଣ ନିଯୁକ୍ତି ଯୋଜନା ପରି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପରେ ବିଳମ୍ବ ହେଉଥିବା ମଧ୍ୟ ସେ ଉଲ୍ଲେଖ କରିଛନ୍ତି।

ବର୍ତ୍ତମାନ ସରକାର ବଡ଼ କର୍ପୋରେଟ ସଂସ୍ଥାଗୁଡ଼ିକୁ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକ ବିଭିନ୍ନ ସମସ୍ୟା ସହ ସଂଘର୍ଷ କରୁଛନ୍ତି ବୋଲି ସେ କହିଛନ୍ତି। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯଥୋଚିତ ପଦକ୍ଷେପ ନେଲେ ଦେଶର ସାମଗ୍ରିକ ଅର୍ଥନୈତିକ ବିକାଶ ସୁନିଶ୍ଚିତ ହେବ ବୋଲି ସେ ପ୍ରେସ୍‌ ବିବୃତ୍ତିରେ ଉଲ୍ଲେଖ କରିଛନ୍ତି।