ମୁମ୍ବାଇ: ବୃହନ୍ମୁମ୍ବାଇ ମହାନଗର ନିଗମ (ବିଏମସି) ନିର୍ବାଚନ ଫଳାଫଳ ପରେ ମହାରାଷ୍ଟ୍ରର ରାଜନୀତି ଗରମାଗରମ ହୋଇଯାଇଛି। ମେୟର ପଦବୀକୁ ନେଇ ବିଜେପି ଓ ଏକନାଥ ଶିନ୍ଦେ ନେତୃତ୍ୱାଧୀନ ଶିବସେନା ମଧ୍ୟରେ ଛକାପଞ୍ଝା ସ୍ଥିତି ସୃଷ୍ଟି ହୋଇଛି। ମୋଟ ୨୨୭ ସଦସ୍ୟ ବିଶିଷ୍ଟ ବିଏମସିରେ ସଂଖ୍ୟାଗରିଷ୍ଠତା ପାଇଁ ୧୧୪ ଆସନ ଆବଶ୍ୟକ ଥିବା ବେଳେ ବିଜେପି ୮୯ ଆସନ ଓ ଶିନ୍ଦେ ଗୋଷ୍ଠୀ ୨୯ ଆସନ ଜିତିଛି। ଏହାରେ ମେଣ୍ଟ ସହଯୋଗୀଙ୍କ ଭୂମିକା ‘କିଙ୍ଗ୍‌ମେକର’ ଭଳି ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।

ମେୟର ପଦ ଦାଖଲ ନେଇ ଚର୍ଚ୍ଚା ତୀବ୍ର ହେବା ମଧ୍ୟରେ ଶିନ୍ଦେ ଗୋଷ୍ଠୀ ନିଜ ୨୯ ଜଣ ବିଜୟୀ କାଉନସିଲରଙ୍କୁ ମୁମ୍ବାଇର ଏକ ହୋଟେଲରେ ରଖିଥିବା ଖବର ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ତେବେ ଶିନ୍ଦେ ଗୋଷ୍ଠୀ କହିଛି ଯେ, ଏହା କେବଳ ଉତ୍ସବ ଓ ଆଭ୍ୟନ୍ତରୀଣ ବୈଠକ ପାଇଁ, କୌଣସି ରାଜନୈତିକ ରଣନୀତି ସହ ଏହାର ସମ୍ପର୍କ ନାହିଁ।

ଏହି ଘଟଣାକୁ ନେଇ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ କଟାକ୍ଷ କରି କହିଛନ୍ତି ଯେ, ବିଜେପି ବିଏମସିରେ ମେୟର ପଦ ଦଖଲ ପାଇଁ ଶିବସେନାକୁ ଭାଙ୍ଗିବା ଚେଷ୍ଟା କରିପାରେ। ସେ କହିଛନ୍ତି, ଦୁଇ ଦଳ ଅଢ଼େଇ ବର୍ଷ କରି ମେୟର ପଦ ବାଣ୍ଟିନେବେ କି, ନା ବିଜେପି ପାଞ୍ଚ ବର୍ଷ ପାଇଁ ନିଜ ମେୟର ଆଣିବ—ତାହା ଦେଖିବା ରୋଚକ ହେବ। ସେ ଏହା ମଧ୍ୟ କହିଛନ୍ତି ଯେ, ଯେଉଁମାନେ ଅନ୍ୟ ଦଳକୁ ଭାଙ୍ଗିଥିଲେ, ସେମାନେ ଏବେ ନିଜ ଦଳ ଭାଙ୍ଗିଯିବା ଆଶଙ୍କାରେ ଭୟଭୀତ।

ଏହି ପରିସ୍ଥିତି ଉପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ସ୍ପଷ୍ଟ କରି କହିଛନ୍ତି ଯେ, କାଉନସିଲରଙ୍କ ହୋଟେଲ ରହଣିକୁ ନେଇ ଭୁଲ ବ୍ୟାଖ୍ୟା କରାଯିବା ଉଚିତ ନୁହେଁ। ଘୋଡ଼ାବେପାରର କୌଣସି ପ୍ରଶ୍ନ ଉଠୁନାହିଁ ଓ ମେୟର ଚୟନ ସମେତ ସମସ୍ତ ନିଷ୍ପତ୍ତି ମେଣ୍ଟ ମଧ୍ୟରେ ପାରସ୍ପରିକ ସହମତିରେ ହେବ ବୋଲି ସେ କହିଛନ୍ତି। ଏହା ସହ ବିଜେପି ନିଜ କାଉନସିଲରମାନଙ୍କର ଏକ ବୈଠକ ଡକାଇଥିବା ଜଣାପଡ଼ିଛି।

ଏହାର ମଧ୍ୟରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)ର ଦୁଇ ଗୋଷ୍ଠୀ ପୁନର୍ମିଳନ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ନିର୍ବାଚନରେ ଆଶାନୁରୂପ ଫଳ ମିଳିନଥିବା ପରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର, ଏନ୍‌ସିପି (ଏସ୍‌ପି) ମୁଖ୍ୟ ଶରଦ ପାୱାର ଓ ସାଂସଦ ସୁପ୍ରିୟା ସୁଲେଙ୍କ ସହ ବନ୍ଦଦ୍ୱାର ଆଲୋଚନା କରିଥିବା ଖବର ମିଳିଛି। ପୁଣେ ଓ ପିମ୍ପରି–ଚିଞ୍ଚୱାଡ ନଗର ନିଗମ ନିର୍ବାଚନରେ ସୀମିତ ସଫଳତା ପରେ ଆଗାମୀ ୧୨ଟି ଜିଲ୍ଲା ପରିଷଦ ନିର୍ବାଚନ ଏକାଠି ଲଢ଼ିବାକୁ ଦୁଇ ଗୋଷ୍ଠୀ ସହମତି ଜଣାଇଥିବା ସୂଚନା ମିଳିଛି। ସୁପ୍ରିୟା ସୁଲେ କହିଛନ୍ତି ଯେ, ଆଲୋଚନାର ବିସ୍ତୃତ ବିବରଣୀ ପ୍ରକାଶ କରାଯିବ ନାହିଁ, ତେବେ ଦଳ ମିଶ୍ରଣ ସମ୍ଭାବନା ନେଇ ଆଲୋଚନା ଚାଲିଥିବାକୁ ସେ ସ୍ୱୀକାର କରିଛନ୍ତି।