ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟର ମହିଳାମାନଙ୍କ ସ୍ୱାବଲମ୍ବନକୁ ମଜବୁତ କରିବା ଉଦ୍ଦେଶ୍ୟରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା’ ଅଧୀନରେ ଯୋଗ୍ୟ ହିତାଧିକାରୀ ମହିଳାମାନଙ୍କୁ ପର୍ଯ୍ୟାୟକ୍ରମେ ସର୍ବାଧିକ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ସୋସିଆଲ ମିଡିଆରେ ଜାରି କରିଥିବା ଏକ ପୋଷ୍ଟ୍‌ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଥମେ ଚୟନିତ ହିତାଧିକାରୀମାନଙ୍କୁ ପୂର୍ବରୁ ଦିଆଯାଇଥିବା ସହାୟତା ଟଙ୍କା ନିଯୁକ୍ତି ଓ ରୋଜଗାର ସୃଷ୍ଟିରେ ସଠିକ୍‌ ଭାବେ ବ୍ୟବହାର ହେଉଛି କି ନାହିଁ, ସେଥିର ସମୀକ୍ଷା ପରେ ଅତିରିକ୍ତ ପାଣ୍ଠି ଦିଆଯିବ।

ନୀତୀଶ କୁମାର କହିଛନ୍ତି, ଯୋଜନାର ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ପରିବାରର ଜଣେ ମହିଳାଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏପର୍ଯ୍ୟନ୍ତ ୧ କୋଟି ୫୬ ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ଏହି ଟଙ୍କା ପହଞ୍ଚିସାରିଛି।

ସେ ଆହୁରି କହିଛନ୍ତି ଯେ, ଗ୍ରାମୀଣ ଓ ସହରାଞ୍ଚଳରେ ଥିବା ଅବଶିଷ୍ଟ ଆବେଦନକାରୀଙ୍କ ଆକାଉଣ୍ଟକୁ ଶୀଘ୍ର ଟଙ୍କା ପଠାଯିବ। ମହିଳାମାନେ ଉଦ୍ୟୋଗ ଆରମ୍ଭ କରିବାର ୬ ମାସ ପରେ ସମୀକ୍ଷା କରାଯାଇ, ଯୋଗ୍ୟ ହିତାଧିକାରୀଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଆର୍ଥିକ ସହଯୋଗ ଦିଆଯିବ ବୋଲି ଯୋଜନାରେ ବ୍ୟବସ୍ଥା ରହିଛି।

ସେହିପରି ସରକାର ଏହି ହିତାଧିକାରୀ ମହିଳାମାନଙ୍କୁ ବିଭିନ୍ନ ବିଭାଗୀୟ କାର୍ଯ୍ୟ ସହ ଯୋଡ଼ି ଦେଇ ସ୍ଥାୟୀ ରୋଜଗାର ସୁଯୋଗ ସୃଷ୍ଟି କରିବାକୁ ଯୋଜନା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।