ନୂଆପଡ଼ା: ଉପନିର୍ବାଚନ ପ୍ରଚାର ଶେଷ ଦିନରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ନୂଆପଡ଼ାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ବିଜେପି ସରକାର ନୂଆପଡ଼ାରେ ଶୀଘ୍ର ଏକ ମେଡିକାଲ୍ କଲେଜ୍ ସ୍ଥାପନ କରିବ। ଏହି ପାଇଁ କେନ୍ଦ୍ର ସରକାର ଦ୍ୱାରା ସବୁଜ ସଂକେତ ମିଳିସାରିଛି, ବୋଲି ସେ ଜଣାଇଛନ୍ତି। ସେହିସହିତ ନୂଆପଡ଼ାରେ ଏକ ଫିସେରି କଲେଜ୍ ମଧ୍ୟ ପ୍ରତିଷ୍ଠା ପାଇବାକୁ ଯାଉଛି।
ମନମୋହନ ସାମଲ କହିଛନ୍ତି, “ଆମେ ଯାହା ପ୍ରତିଶ୍ରୁତି ଦେଇଥିଲୁ, ତାହା ପାଳନ କରିଛୁ। ନୂଆପଡ଼ାର ବିକାଶ ଆଗାମୀ ଦିନରେ ଆହୁରି ତ୍ୱରିତ ହେବ।” ସେ ଜଣାଇଛନ୍ତି ଯେ ଖରିଆର ରୋଡ୍ ଏନଏସିକୁ ମ୍ୟୁନିସିପାଲିଟି ଭାବେ ଘୋଷଣା କରାଯାଇଛି ଏବଂ ନୂଆପଡ଼ା-ଘାଟିପଦା ଓ ନୂଆପଡ଼ା-ବରଗଡ଼ ରାସ୍ତାକୁ ୪ ଲେନ୍ରେ ପରିଣତ କରାଯିବ।
ସାମଲ କହିଛନ୍ତି ଯେ ନୂଆପଡ଼ାରେ ନୂଆ ଷ୍ଟାଡିୟମ୍ ନିର୍ମାଣ ଲାଗି ଶିଳାନ୍ୟାସ ହୋଇସାରିଛି ଏବଂ ଶୀଘ୍ର ନିର୍ମାଣ କାମ ଆରମ୍ଭ ହେବ। ତାଙ୍କ ଅନୁସାରେ, ଏହି ଅଞ୍ଚଳର ୪୫,୮୦୦ ଚାଷୀ ଇନପୁଟ୍ ସହାୟତା ପାଇଛନ୍ତି ଏବଂ ୭୫,୦୦୦ ମା ଭଉଣୀମାନେ ସୁଭଦ୍ରା ଯୋଜନାରେ ଉପକୃତ ହୋଇଛନ୍ତି। ସେ ଆହୁରି କହିଛନ୍ତି ଯେ ମାଛ ଉତ୍ପାଦନକୁ ବୃଦ୍ଧି ପାଇଁ ନୂଆପଡ଼ାକୁ “ଫିସ୍ ହବ୍” ଭାବରେ ଉନ୍ନତ କରାଯିବ।
ସାମଲ କହିଛନ୍ତି, “ବେଇମାନ, ଭୋଟ୍ ଚୋରି ଭଳି ଅପଶବ୍ଦର ମୁଁ କଡ଼ା ଭାଷାରେ ନିନ୍ଦା କରୁଛି। ନୂଆପଡ଼ାବାସୀ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ସପକ୍ଷରେ ଅଛନ୍ତି, ନବୀନ ବାବୁ ପାଞ୍ଚଥର ଆସିଲେ ବି ଏଠାର ଲୋକମନଙ୍କ ମନୋଭାବ ବଦଳିବ ନାହିଁ।”
ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର ଏବଂ ବରିଷ୍ଠ ନେତା ବସନ୍ତ ପଣ୍ଡା ଉପସ୍ଥିତ ଥିଲେ।





