ଭୁବନେଶ୍ୱର:

ଏକଦିନିଆ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଭୁବନେଶ୍ୱରର ୟୁନିଟ୍–୩ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଅନେକ ଗୁରୁତ୍ୱପୂର୍ଣ୍ଣ ଉପକ୍ରମର ଶୁଭାରମ୍ଭ କରିଛନ୍ତି। ଏହା ସହିତ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ସମବାୟ ନୀତି–୨୦୨୬ କାର୍ଯ୍ୟକାରିତାର ଆରମ୍ଭ କରାଯାଇଛି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଶାହ କହିଥିଲେ ଯେ, ଓଡ଼ିଶା ସମୃଦ୍ଧ କଳା, ସଂସ୍କୃତି ଓ ପରମ୍ପରାର ଭୂମି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ବିକାଶ ପଥରେ ଦୃତ ଗତିରେ ଆଗକୁ ବଢ଼ୁଛି ବୋଲି ସେ କହିଥିଲେ। ଏହା ସହିତ ଦେଶକୁ ନକ୍ସଲବାଦରୁ ସମ୍ପୂର୍ଣ୍ଣ ମୁକ୍ତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର କାମ କରୁଛି ବୋଲି ସେ ଉଲ୍ଲେଖ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, ଓଡ଼ିଶାର ବିକାଶ ଯାତ୍ରାରେ ଆଜି ଆଉ ଗୋଟିଏ ନୂଆ ଅଧ୍ୟାୟ ଯୋଡ଼ାଯାଇଛି। ଏକ ଦିନରେ ୩୨୭୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବାବେଳେ ୬ଟି ପ୍ରକଳ୍ପ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହା ମାଧ୍ୟମରେ ରାଜ୍ୟର ଚାଷୀ, ଯୁବକ ଓ ମହିଳାମାନେ ଲାଭାନ୍ୱିତ ହେବେ ବୋଲି ସେ କହିଥିଲେ।

ସମବାୟ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ “ସହକାରୀତା ସେ ସମୃଦ୍ଧି” ଦୃଷ୍ଟିକୋଣକୁ ଆଧାର କରି ସମବାୟ ନୀତି–୨୦୨୬ ପ୍ରସ୍ତୁତ କରାଯାଇଛି। ଏହି ନୀତି ମାଧ୍ୟମରେ ସମୃଦ୍ଧ ଓଡ଼ିଶା–୨୦୩୬ ଓ ବିକଶିତ ଭାରତ–୨୦୪୭ ଲକ୍ଷ୍ୟ ପୂରଣରେ ସହାୟତା ମିଳିବ ବୋଲି ସରକାର ଆଶା ବ୍ୟକ୍ତ କରିଛନ୍ତି।

କାର୍ଯ୍ୟକ୍ରମରେ ୧୫୬୬ଟି ପାକ୍ସର କମନ୍ ସର୍ଭିସ୍ ସେଣ୍ଟର ଲୋକାର୍ପଣ ସହ ଅନେକ ପ୍ରକଳ୍ପ ଆରମ୍ଭ କରାଯାଇଛି। ବଡ଼ମ୍ବା ସମବାୟ ଚିନି କଳ ପୁନରୁଦ୍ଧାର ପାଇଁ ଇଣ୍ଡିଆନ୍ ପଟାସ୍ ଲିମିଟେଡ୍ ସହ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହା ସହିତ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀରେ ନୂଆ ଦୁଗ୍ଧ ପ୍ରକ୍ରିୟାକରଣ କେନ୍ଦ୍ର ଉଦଘାଟନ କରାଯାଇଛି, ଯେଉଁଠାରେ ଦିନକୁ ପ୍ରାୟ ୩୦ ହଜାର ଲିଟର ଦୁଗ୍ଧ ପ୍ରକ୍ରିୟାକରଣ ହେବ।

ଏହା ସହିତ ରାଜ୍ୟର ସୁରକ୍ଷା ବ୍ୟବସ୍ଥାକୁ ଆଧୁନିକ କରିବା ପାଇଁ ୨୦ଟି ନୂତନ ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ପୋଲିସ ଥାନା ଓ ୨୪ଟି ନୂତନ ପୋଲିସ ଥାନାର ଲୋକାର୍ପଣ ମଧ୍ୟ କରାଯାଇଛି।

ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ଓ ଅନ୍ୟାନ୍ୟ ମନ୍ତ୍ରୀ ଓ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ।