ନୂଆଦିଲ୍ଲୀ: ଆମେରିକା ଦ୍ୱାରା ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଦେଶରୁ ଅପହରଣ କରି ଗିରଫ କରାଯାଇଥିବା ଘଟଣା ପରେ ଭାରତୀୟ ରାଜନୀତିରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। AIMIM ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସିଧାସଳଖ ଚ୍ୟାଲେଞ୍ଜ କରି ଏକ ବଡ଼ ଦାବି ଉଠାଇଛନ୍ତି।

ଏକ ସାଧାରଣ ସମାବେଶକୁ ସମ୍ବୋଧିତ କରି ଓୱାଇସି କହିଛନ୍ତି, ଯଦି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭେନେଜୁଏଲାର ରାଷ୍ଟ୍ରପତିଙ୍କୁ ତାଙ୍କ ଦେଶରୁ ଧରି ଆଣିପାରିଛନ୍ତି, ତେବେ ଭାରତର ପ୍ରଧାନମନ୍ତ୍ରୀ କାହିଁକି ପାକିସ୍ତାନରୁ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡକୁ ଭାରତ ଆଣିପାରିବେ ନାହିଁ? ସେ କହିଛନ୍ତି, “ମୋଦୀ ଜୀ, ଆପଣ କାହାଠାରୁ କମ୍ ନୁହେଁ। ଆପଣଙ୍କ ୫୬ ଇଞ୍ଚ ଛାତି ଦେଖାଇ ଦିଅନ୍ତୁ।”

ଓୱାଇସି ଆହୁରି କହିଛନ୍ତି ଯେ, ଆଜି ସମଗ୍ର ବିଶ୍ୱ ଦେଖୁଛି ଯେ ଆମେରିକା କିପରି ଏକ ସେନା ଅଭିଯାନ ମାଧ୍ୟମରେ ଭେନେଜୁଏଲାର ରାଷ୍ଟ୍ରପତିଙ୍କୁ ଧରି ନେଇଛି। ଏହି ପରିପ୍ରେକ୍ଷିତରେ ଭାରତ ସରକାର ମଧ୍ୟ ଦେଶର ସୁରକ୍ଷା ଓ ନ୍ୟାୟ ପାଇଁ ଦୃଢ଼ ପଦକ୍ଷେପ ନେବା ଉଚିତ୍ ବୋଲି ସେ ମତ ପ୍ରକାଶ କରିଛନ୍ତି।

ଏହି ଘଟଣା ପରେ ଭାରତ ସରକାର ମଧ୍ୟ ଭେନେଜୁଏଲାର ଅସ୍ଥିର ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକମାନଙ୍କୁ ଅନାବଶ୍ୟକ ଯାତ୍ରା ଏଡାଇବାକୁ ପରାମର୍ଶ ଜାରି କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜଣାଯାଇଛି ଯେ, ଭେନେଜୁଏଲାରେ ଥିବା ସମସ୍ତ ଭାରତୀୟ ନାଗରିକ ସତର୍କତା ଅବଲମ୍ବନ କରି ନିଜ ଚଳାଚଳ ସୀମିତ ରଖନ୍ତୁ।

ସୂଚନାଯୋଗ୍ୟ, ଜାନୁଆରି ୩ ତାରିଖରେ ଆମେରିକା ଭେନେଜୁଏଲା ଉପରେ ପ୍ରାୟ ୩୦ ମିନିଟ୍ ଧରି ଏୟାର ଷ୍ଟ୍ରାଇକ୍ କରିଥିଲା। ରାଜଧାନୀ କାରାକାସ୍‌ରେ ଏହି ସମୟରେ ଏକାଧିକ ଭୟଙ୍କର ବିସ୍ଫୋରଣ ଘଟିଥିବା ବେଳେ, ପରେ ରାଷ୍ଟ୍ରପତି ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣା ଆନ୍ତର୍ଜାତୀୟ ରାଜନୀତିରେ ନୂଆ ଉତ୍ତେଜନା ସୃଷ୍ଟି କରିଛି।