ମୁମ୍ବାଇ: ମହାରାଷ୍ଟ୍ରରେ ପୌର ନିର୍ବାଚନକୁ ନେଇ ରାଜନୈତିକ ପରିବେଶ ତାତିଉଠିଥିବାବେଳେ, ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଏକ ଗୁରୁତ୍ୱପୂର୍ଣ୍ଣ ଓ ଚର୍ଚ୍ଚିତ ମନ୍ତବ୍ୟ ଦେଇଛନ୍ତି। ସୋଲାପୁରରେ ନିର୍ବାଚନ ପ୍ରଚାର ସମୟରେ ସେ କହିଛନ୍ତି ଯେ, ଦେଶରେ ଏମିତି ଏକ ଦିନ ଆସିବ, ଯେତେବେଳେ ଜଣେ ହିଜାବ୍ ପିନ୍ଧା ମହିଳା ଭାରତର ପ୍ରଧାନମନ୍ତ୍ରୀ ହେବେ।

ଓୱାଇସି କହିଛନ୍ତି ଯେ, ଭାରତୀୟ ସମ୍ବିଧାନ ସମସ୍ତ ଧର୍ମ ଓ ସମ୍ପ୍ରଦାୟର ନାଗରିକଙ୍କୁ ସମାନ ଅଧିକାର ଓ ସମାନ ସୁଯୋଗ ପ୍ରଦାନ କରିଛି। ସେ ପାକିସ୍ତାନୀ ସମ୍ବିଧାନ ସହ ତୁଳନା କରି କହିଛନ୍ତି ଯେ, ସେଠାରେ କେବଳ ନିର୍ଦ୍ଦିଷ୍ଟ ଗୋଟିଏ ସମ୍ପ୍ରଦାୟର ବ୍ୟକ୍ତି ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ହୋଇପାରିବେ ବୋଲି ଉଲ୍ଲେଖ ରହିଛି, କିନ୍ତୁ ଭାରତରେ ସମସ୍ତଙ୍କ ପାଇଁ ସମାନ ମଞ୍ଚ ରହିଛି।

ଶାସକ ଦଳକୁ ଲକ୍ଷ୍ୟ କରି ଓୱାଇସି କହିଛନ୍ତି ଯେ, ଦେଶରେ ଘୃଣାର ରାଜନୀତି ଆଉ ଦୀର୍ଘଦିନ ଚାଲିବ ନାହିଁ ଏବଂ ଏଭଳି ରାଜନୀତି କରୁଥିବା ଦଳଗୁଡ଼ିକ ଶେଷରେ ଧ୍ୱଂସ ପାଇବେ।

ସେ ଅଭିଯୋଗ କରିଛନ୍ତି ଯେ, ସୋଲାପୁର ସହିତ ସାରା ମହାରାଷ୍ଟ୍ରରେ ଅନେକ ସମସ୍ୟା ରହିଥିଲେ ମଧ୍ୟ ଶାସକ ଦଳ ସେସବୁ ପ୍ରତି ଗମ୍ଭୀର ନୁହଁନ୍ତି। ବିଜେପି, ଏକନାଥ ସିନ୍ଦେ ଓ ଅଜିତ ପାୱାର ମହାରାଷ୍ଟ୍ରର ଲୋକଙ୍କୁ ଭୁଆଁ ଆଶ୍ୱାସନ ଦେଇ ଭ୍ରମିତ କରୁଛନ୍ତି ବୋଲି ସେ କହିଛନ୍ତି।

ଓୱାଇସି ଆହୁରି ଅଭିଯୋଗ କରିଛନ୍ତି ଯେ, ଶାସକ ନେତାମାନେ ଘୃଣା ଆଧାରିତ ରାଜନୀତି କରୁଛନ୍ତି, ସଂଖ୍ୟାଲଘୁ, ଦଳିତ ଓ ଚାଷୀଙ୍କ ଅଧିକାରକୁ ଅନଦେଖା କରୁଛନ୍ତି। ଚାଷୀଙ୍କ ସମସ୍ୟା ପ୍ରତି ଅବହେଳା ଯୋଗୁଁ ରାଜ୍ୟରେ ଚାଷୀ ଆତ୍ମହତ୍ୟା ଘଟଣା ବୃଦ୍ଧି ପାଉଛି ବୋଲି ସେ ମତ ପ୍ରକାଶ କରିଛନ୍ତି।