ନୂଆଦିଲ୍ଲୀ: ୨୦୨୩ରେ ହୋଇଥିବା ଜାତିଗତ ସଂଘର୍ଷ ପରେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ମଣିପୁର ଗସ୍ତ କରିଲେ। ସେଠାରେ ସେ ଶାନ୍ତି ପଥକୁ ଅପନାଇବା ପାଇଁ ସମସ୍ତଙ୍କୁ ଆହ୍ବାନ କରି, ମଣିପୁରକୁ ବିକାଶ ପଥରେ ଆଗେଇବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରୟାସ ଜାରି ରହିବ ବୋଲି କହିଲେ।

ଚୁରାଚାନ୍ଦପୁର ଜିଲ୍ଲାରେ ଏକ ସଭାରେ ମୋଦୀ କହିଲେ, “ମଣିପୁର ନାମରେ ଥିବା ‘ମଣି’ ସମଗ୍ର ଉତ୍ତର-ପୂର୍ବକୁ ଉଜ୍ଜ୍ୱଳ କରିବ। ଆପଣମାନେ ଆପଣଙ୍କ ପିଲାମାନଙ୍କ ଭବିଷ୍ୟତ ପାଇଁ ଶାନ୍ତିରେ ଆଗକୁ ବଢନ୍ତୁ।”

ଯଦିଓ ସୁରକ୍ଷା ବ୍ୟବସ୍ଥା କଡାକଡି ରହିଥିଲା, ତଥାପି ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ପାଇଁ ହୋଇଥିବା ସଜାଣା-ଗୋଛାଣାକୁ କିଛି ଦୁର୍ବୃତ୍ତ ନଷ୍ଟ କରିଥିବା ଖବର ମିଳିଛି।

ବିଜେପି ଏହି ଗସ୍ତକୁ ଶାନ୍ତି ଓ ଉନ୍ନୟନର ପଦକ୍ଷେପ ବୋଲି ବର୍ଣ୍ଣନା କରିଥିଲେ, କିନ୍ତୁ କଂଗ୍ରେସ ଏହାକୁ ପ୍ରତୀକାତ୍ମକ ଏବଂ ସମସ୍ୟା ସମାଧାନରେ ବିଫଳ ବୋଲି କହିଛି। ଏହାସହ, କୁକି-ଜୋ ସଂଗଠନ ଓ ‘ଅଲ୍‌ ମଣିପୁର ୟୁନାଇଟେଡ କ୍ଲବ୍‌ସ ଅର୍ଗାନାଇଜେସନ୍’ ମଧ୍ୟ ଗସ୍ତକୁ ପ୍ରଚାରମୂଳକ ବୋଲି ବିବେଚନା କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଉଖ୍ରୁଲ ଜିଲ୍ଲାରେ ୪୩ ଜଣ ବିଜେପି ସଦସ୍ୟଙ୍କ ଇସ୍ତଫା ଦେଇଥିବା ଖବର, ରାଜ୍ୟରେ ରାଜନୈତିକ ଅସନ୍ତୋଷକୁ ସ୍ପଷ୍ଟ କରୁଛି।