ଥିମ୍ପୁ: ଦିଲ୍ଲୀ ଲାଲକିଲ୍ଲା ନିକଟରେ ଶନିବାର ସନ୍ଧ୍ୟାରେ ଘଟିଥିବା ବିସ୍ଫୋରଣରେ ଦେଶ ମଧ୍ୟରେ ତିବ୍ର ଚର୍ଚ୍ଚା ଚାଲିଛି। ଏହି ଘଟଣାରେ ଏପର୍ଯ୍ୟନ୍ତ ୧୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନେକେ ଆହତ ହୋଇଛନ୍ତି। ଏହି ଗଭୀର ଘଟଣା ଉପରେ ଭୁଟାନ ଯାତ୍ରାରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରି ଅପରାଧୀଙ୍କୁ କଠୋର ଶିକ୍ଷା ଦେବାର ଚେତାବନୀ ଦେଇଛନ୍ତି।
ସେ ଥିମ୍ପୁରେ ଆୟୋଜିତ ଜନସଭାରେ କହିଛନ୍ତି, “ଦିଲ୍ଲୀରେ ଘଟିଥିବା ଏହି ଦୁର୍ଘଟଣା ମୋତେ ଗଭୀର ଭାବେ ଦୁଃଖିତ କରିଛି। ଏହା ମାନବତା ବିରୋଧୀ ଘଟଣା ଏବଂ ଏହା ପଛରେ ଥିବା ଷଡ଼ଯନ୍ତ୍ରକାରୀମାନଙ୍କୁ ଛଡ଼ାଯିବ ନାହିଁ। ଏଜେନ୍ସିମାନେ ଏହାର ମୂଳ ପର୍ଯ୍ୟନ୍ତ ପହଞ୍ଚି ଦୋଷୀମାନଙ୍କୁ ଆଇନ ଅନୁଯାୟୀ ଶାସ୍ତି ଦେବେ।”
ସେ ଆହୁରି କହିଛନ୍ତି ଯେ, ଘଟଣା ଘଟିବା ପରଠାରୁ ସେ ସମସ୍ତ ତଦନ୍ତ ଏଜେନ୍ସି ସହ ଯୋଗାଯୋଗରେ ଅଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି ଭୁଟାନ ସଫର ସମୟରେ ଗେଲେଫୁ ଅଞ୍ଚଳରେ ଏକ ନୂତନ ଚେକପଏଣ୍ଟ ସ୍ଥାପନ ପାଇଁ ଘୋଷଣା କରିଛନ୍ତି, ଯାହା ଭାରତ-ଭୁଟାନ ବାଣିଜ୍ୟ ଏବଂ ନିବେଶକମାନଙ୍କ ପାଇଁ ଉପକାରୀ ହେବ।
ସେ ଆହୁରି ଭାରତ ସରକାରଙ୍କ ଭୁଟାନ ପ୍ରତି ଅବଦାନ ଉଲ୍ଲେଖ କରି କହିଛନ୍ତି, “ଭୁଟାନର ପଞ୍ଚବାର୍ଷିକ ଯୋଜନା ପାଇଁ ଭାରତ ୧୦,୦୦୦ କୋଟି ଟଙ୍କା ଦେଇଛି। ଏହା ରାସ୍ତା, କୃଷି ଏବଂ ସ୍ୱାସ୍ଥ୍ୟ ଭଳି ଅନେକ ମୁଖ୍ୟ ଖେତ୍ରରେ ବ୍ୟବହୃତ ହେଉଛି।”
ପ୍ରଧାନମନ୍ତ୍ରୀ ଏହି ସହିତ ଭୁଟାନରେ UPI ପେମେଣ୍ଟ ସିଷ୍ଟମ୍ ବିସ୍ତାର ହେଉଥିବା ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି। ସେ କହିଛନ୍ତି, “ଶିଘ୍ର ଭୁଟାନ ନାଗରିକମାନେ ଭାରତ ଯାଇ UPI ଦ୍ୱାରା ପେମେଣ୍ଟ କରିପାରିବେ, ଯାହା ଦୁଇ ଦେଶ ମଧ୍ୟରେ ଆର୍ଥିକ ସହଯୋଗକୁ ଆହୁରି ମଜବୁତ କରିବ।”





