ପ୍ରୟାଗରାଜ: ମାଘ ମେଳାର ଧାର୍ମିକ ପରିବେଶ ମଧ୍ୟରେ ଏକ ଭବିଷ୍ୟବାଣୀ ଏବେ ରାଜନୈତିକ ଚର୍ଚ୍ଚାକୁ ତେଜ କରିଦେଇଛି। କୁନି ଶ୍ରୀରାମ ବେଶରେ ସୁସଜ୍ଜିତ ବାଳ ଶ୍ରୀରାମ ଭାବେ ପରିଚିତ ଶ୍ରୀଶ ବାହୁବଳୀ ମହାରାଜ ଭବିଷ୍ୟବାଣୀ କରିଛନ୍ତି ଯେ, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୦୩୧ ମସିହାରେ ଦେଶର ପ୍ରଧାନମନ୍ତ୍ରୀ ହେବେ।

ମାଘ ମେଳାରେ ଦିଆଯାଇଥିବା ଏହି ଭବିଷ୍ୟବାଣୀ ପରେ ଯୋଗୀ ଆଦିତ୍ୟନାଥଙ୍କ ଭୂମିକା ଓ ଭବିଷ୍ୟତ ନେତୃତ୍ୱକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ବାହୁବଳୀ ମହାରାଜ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ହେବା ପରେ ଯୋଗୀ ଆଦିତ୍ୟନାଥ ଦେଶର ସ୍ୱାର୍ଥରେ କିଛି ଐତିହାସିକ ନିଷ୍ପତ୍ତି ନେବେ। ତାଙ୍କ ନେତୃତ୍ୱରେ ଭାରତ ‘ବିଶ୍ୱଗୁରୁ’ ରୂପେ ପରିଚିତ ହେବ ଏବଂ ସାରା ବିଶ୍ୱରେ ସନାତନ ଧର୍ମର ସମ୍ମାନ ଆହୁରି ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।

ଉଲ୍ଲେଖନୀୟ ଯେ, ବାଳରାମ ତାଙ୍କର ଏହି ଭବିଷ୍ୟବାଣୀକୁ ଗୀତ ଆକାରରେ ଉପସ୍ଥାପନ କରିଥିଲେ। ଏହାକୁ ଶୁଣି ମେଳାରେ ଉପସ୍ଥିତ ଭକ୍ତମାନେ ଭାବପ୍ରବଣ ହୋଇଯାଇଥିଲେ। କମ୍ ବୟସ ସତ୍ତ୍ୱେ ତାଙ୍କର ଆତ୍ମବିଶ୍ୱାସ ଓ ଚିନ୍ତାଧାରାର ସ୍ପଷ୍ଟତା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା।

ବାଳ ଶ୍ରୀରାମ ଭାବେ ପରିଚିତ ଶ୍ରୀଶ ବାହୁବଳୀ ମହାରାଜ ଅନେକ ଶ୍ଳୋକ ମୁଖସ୍ଥ କରିଥିବା ସହ ଶିବ ତାଣ୍ଡବ ସ୍ତୋତ୍ରର ପାଠ ମଧ୍ୟ କରିଥିଲେ। ଏହାର ଫଳରେ ସମଗ୍ର ମାଘ ମେଳା ପରିବେଶ ଧାର୍ମିକ ଓ ଭକ୍ତିମୟ ରୂପ ନେଇଥିଲା।