ମୁମ୍ବାଇ (୧୯ ଜୁଲାଇ): ମହାରାଷ୍ଟ୍ର ରାଜନୀତି ପୁଣି ଏକ ନୂଆ ମୋଡ଼ରେ ପହଞ୍ଚିଛି। ଦୀର୍ଘ ଦୁଇ ବର୍ଷର ବିଚ୍ଛିନ୍ନତା ପରେ ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ମଧ୍ୟରେ ମିଳନ ଘଟିପାରିବ ବୋଲି ରାଜନୈତିକ ମହଳରେ ଅନୁମାନ ଜୋର ପକାଇଛି। ଏହି ଅନୁମାନ ପରେ ରାଜ୍ୟର ରାଜନୀତି ପୁଣି ଚର୍ଚ୍ଚାର ମୁଖ୍ୟବିଷୟ ହୋଇପଡ଼ିଛି।

ତେବେ ଏନସିପି ରାଜ୍ୟ ସଭାପତି ସୁନୀଲ ତଟକରେ ଏହି ଆଲୋଚନାକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି, “ଏନଡିଏ (ମହାଯୁତି) ରେ ଆମେ ଅଛୁ ଏବଂ ଏଠିରେ ରହିବା ପାଇଁ ସଂକଳ୍ପବଦ୍ଧ। ଏପର୍ଯ୍ୟନ୍ତ କୌଣସି ମିଶ୍ରଣ ଆଲୋଚନା ହୋଇନାହିଁ, ଆଗକୁ ଯଦି କୌଣସି ସମସ୍ୟା ଆସେ, ତେବେ ଆମେ ଭାଜପା ନେତାମାନଙ୍କ ସହ ଆଲୋଚନା କରିବା।”

ଶରଦ ପାୱାର ଏବଂ ଅଜିତ ପାୱାର ମଧ୍ୟରେ ବ୍ୟକ୍ତିଗତ ଓ ପାରିବାରିକ ସମ୍ପର୍କ ଉପରେ ଆଧାରିତ କେତେକ ଦୃଶ୍ୟ ରାଜନୈତିକ ଅନୁମାନକୁ ଜନ୍ମ ଦେଇଛି। ଉଭୟ ନେତାଙ୍କୁ ପୂଣେରେ ଆୟୋଜିତ ଏନସିପି ପ୍ରତିଷ୍ଠା ଦିବସ ଅବସରରେ ଦେଖାଯିବା ଏହି ଅନୁମାନକୁ ଅଧିକ ଓଜନ ଦେଇଛି।

୧୯୯୯ ମସିହାରେ ଶରଦ ପାୱାର କଂଗ୍ରେସ ଛାଡ଼ି ନୂତନ ଦଳ ଗଠନ କରିଥିଲେ। ଅଜିତ ପାୱାର ତାଙ୍କ ସହ ଦୀର୍ଘ ସମୟ ରହିଲେ ମଧ୍ୟ ୨୦୨୩ ଜୁଲାଇରେ ମହାଯୁତି ସହ ମିଶି ତାଙ୍କୁ ଛାଡ଼ି ଅଲଗା ହୋଇଥିଲେ। ତା’ପରେ ଅଜିତଙ୍କ ଦଳକୁ ପ୍ରକୃତ ଏନସିପି ଭାବରେ ମାନ୍ୟତା ମିଳିଥିଲା।

ରାଜନୈତିକ ଭିନ୍ନମତ ଓ ଦଳୀୟ ବ୍ୟବସ୍ଥା ସତ୍ୱେ ଉଭୟ ନେତାଙ୍କ ମଧ୍ୟରେ ସମ୍ମାନ ଓ ସଂପର୍କ ଅଛି। ତେବେ ଏହି ମିଳନ ଏକ ବାସ୍ତବିକ ରୂପ ନେବ କି ନାହିଁ, ତାହା ସମୟ ହିଁ କହିପାରିବ।