ମୁମ୍ବାଇ: ମହାରାଷ୍ଟ୍ରରେ ନକଲି ଭୋଟର ମାମଲା ନେଇ ବିରୋଧୀ ଦଳଗୁଡ଼ିକ ନଭେମ୍ବର ୧ ତାରିଖରେ ଏକ ବିଶାଳ ରାଲି ଆୟୋଜନ କରିବାକୁ ଘୋଷଣା କରିଛନ୍ତି। ଏହି ରାଲିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ତାଙ୍କ ଭାଇ, ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ମୁଖ୍ୟ ରାଜ ଠାକରେ, ଦୁଇଜଣଙ୍କୁ ଏକାଠି ଦେଖିବାକୁ ମିଳିବ।
ଶନିବାର ରାଜ ଠାକରେ ତାଙ୍କ ଶିବତୀର୍ଥ ବାସଭବନରେ ଦଳୀୟ ଶୀର୍ଷ ନେତାମାନଙ୍କ ସହ ବୈଠକ କରି ରାଲି ପାଇଁ ପ୍ରସ୍ତୁତି ନିଅଛନ୍ତି। ସେ କହିଛନ୍ତି, “ମହାରାଷ୍ଟ୍ରର ନକଲି ଭୋଟରମାନଙ୍କ ପର୍ଦ୍ଦାଫାସ ହେବା ଏହି ଲଢ଼େଇର ମୂଳ ଉଦ୍ଦେଶ୍ୟ। ପ୍ରକୃତ ଭୋଟରମାନଙ୍କ ଅଧିକାର ସୁନିଶ୍ଚିତ କରିବା ପାଇଁ ଏହା ସତ୍ୟ ପାଇଁ ଏକ ଲଢ଼େଇ।”
ସୂତ୍ରମାନଙ୍କ ଅନୁସାରେ, ରାଜ୍ୟରେ ପ୍ରାୟ ୯୬ ଲକ୍ଷ ନକଲି ଭୋଟର ଥିବା ଅଭିଯୋଗ ଉଠିଛି। ଏହି ମାମଲାରେ ବିରୋଧୀ ନେତାମାନେ ନିର୍ବାଚନ କମିସନଙ୍କୁ ମେମୋରାଣ୍ଡମ୍ ଦେଇଥିଲେ, କିନ୍ତୁ କୌଣସି ପ୍ରଭାବଶାଳୀ ପଦକ୍ଷେପ ନିଆଯାଇନାହିଁ। ଏହି ପରିସ୍ଥିତି ଦେଖି, ବିରୋଧୀ ଦଳ ରାସ୍ତାକୁ ଓହ୍ଲାଇବା ନିଷ୍ପତ୍ତି ନେଇଛି।
ରାଲି ଅପରାହ୍ନ ୧ଟାରେ ମାରିନ୍ ଲାଇନ୍ସର ହିନ୍ଦୁ ଜିମଖାନାରୁ ଆରମ୍ଭ ହୋଇ ଆଜାଦ ମୈଦାନରେ ଶେଷ ହେବ। ଏହାର ନେତୃତ୍ୱ କରିବେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଶରଦଚନ୍ଦ୍ର ପାୱାର) ଅଧ୍ୟକ୍ଷ ଶରଦ ପାୱାର, ଶିବସେନା (UBT) ମୁଖ୍ୟ ଉଦ୍ଧବ ଠାକରେ ଏବଂ MNS ମୁଖ୍ୟ ରାଜ ଠାକରେ।
ଶିବସେନା (UBT) ସାଂସଦ ସଞ୍ଜୟ ରାଉତ କହିଛନ୍ତି, “ରାଲିରେ ବରିଷ୍ଠ କଂଗ୍ରେସ ନେତାମାନଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆଯିବ। ଯଦି ନିର୍ବାଚନ କମିସନ ଆମକୁ ଚ୍ୟାଲେଞ୍ଜ ଦିଅନ୍ତି, ଆମେ ତାହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ।”
ଏହି ରାଲି ମାଧ୍ୟମରେ ଠାକରେ ଭାଇମାନେ ପୁଣି ଥରେ ଏକାଠି ହୋଇ ରାଜ୍ୟ ରାଜନୀତିରେ ଏକ ନୂଆ ସନ୍ଦେଶ ଦେବାକୁ ଯୋଜନା କରୁଛନ୍ତି।





