ନୂଆଦିଲ୍ଲୀ: ଇରାନ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଉପରେ କଂଗ୍ରେସ ସଂସଦୀୟ ଦଳ ନେତ୍ରୀ Sonia Gandhi ତୀବ୍ର ସମାଲୋଚନା କରିଛନ୍ତି। ପୂର୍ବତନ କଂଗ୍ରେସ ସରକାର ଓ ପୂର୍ବ ପ୍ରଧାନମନ୍ତ୍ରୀ Atal Bihari Vajpayeeଙ୍କ ବୈଦେଶିକ ନୀତିର ଉଦାହରଣ ଦେଇ ସେ ବର୍ତ୍ତମାନ ସରକାରଙ୍କ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, କେନ୍ଦ୍ରର ନୀରବତା ଭାରତର ବୈଦେଶିକ ନୀତିର ଦିଗ ଓ ବିଶ୍ୱସନୀୟତା ଉପରେ ସନ୍ଦେହ ସୃଷ୍ଟି କରୁଛି।
ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ସମୟରେ ଏହି ପ୍ରସଙ୍ଗରେ ସ୍ପଷ୍ଟ ଆଲୋଚନା ପାଇଁ ସେ ଦାବି କରିଛନ୍ତି। ଇରାନ ମାଟିରେ ବୋମା ବିସ୍ଫୋରଣ ଓ ଟାର୍ଗେଟ୍ ହତ୍ୟା ଘଟଣାକୁ କଂଗ୍ରେସ ନିନ୍ଦା କରୁଥିବା ସେ କହିଛନ୍ତି। ଏହା ଆଞ୍ଚଳିକ ଓ ବିଶ୍ୱ ସ୍ତରରେ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ସେ ଚେତାବନୀ ଦେଇଛନ୍ତି।
କଂଗ୍ରେସ ସାଂସଦ Rahul Gandhi ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ପ୍ରଶ୍ନ କରିଛନ୍ତି, “ବିଶ୍ୱ ବ୍ୟବସ୍ଥାକୁ ପରିଭାଷିତ କରିବା ପାଇଁ ଜଣେ ରାଷ୍ଟ୍ରମୁଖ୍ୟଙ୍କ ହତ୍ୟାକୁ କି ସମର୍ଥନ କରାଯାଉଛି?”
ଏପଟେ ବିଜେପି ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ଆସିଛି। ବିଜେପି ସାଂସଦ Nishikant Dubey ପୂର୍ବରୁ ଇରାନ ସର୍ବୋଚ୍ଚ ନେତା Ali Khameneiଙ୍କ ଭାରତ ସମ୍ପର୍କିତ ପୁରୁଣା ପୋଷ୍ଟ ସେୟାର କରି ବିରୋଧୀଙ୍କୁ ପ୍ରଶ୍ନ କରିଛନ୍ତି। ତେଲଙ୍ଗାନା ବିଜେପି ମୁଖପାତ୍ର Prakash Reddy କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ Narendra Modiଙ୍କ ନେତୃତ୍ୱରେ ଭାରତର ବୈଦେଶିକ ନୀତି ସ୍ପଷ୍ଟ ଓ ସମତୁଳିତ। ଭାରତ ସମସ୍ତ ଦେଶ ସହିତ ସମ୍ପର୍କ ରକ୍ଷା କରୁଛି ଏବଂ ଶାନ୍ତିର ପକ୍ଷରେ ଅଟୁଟ ଅଟେ ବୋଲି ସେ କହିଛନ୍ତି।
ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ମଞ୍ଚରେ ତୀବ୍ର ବାକ୍ଯୁଦ୍ଧ ଚାଲିଥିବାବେଳେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ବିସ୍ତୃତ ବକ୍ତବ୍ୟ ଆସିନାହିଁ।





