ନୂଆଦିଲ୍ଲୀ: ଷ୍ଟାର୍ଟଅପ୍‌ ଇଣ୍ଡିଆ ଉଦ୍ୟମ ଆଜି ତାହାର ୧୦ ବର୍ଷ ପୂର୍ତ୍ତି କରିଛି। ୨୦୧୬ ଜାନୁଆରି ୧୬ରେ ଆରମ୍ଭ ହୋଇଥିବା ଏହି ପ୍ରୟାସ ଏବେ ସରକାରୀ ଯୋଜନାର ସୀମା ଛାଡ଼ି ଦେଶବ୍ୟାପୀ ଏକ ନବସୃଜନମୟ ଆନ୍ଦୋଳନରେ ପରିଣତ ହୋଇଛି। ଏହି ଅବସରରେ ଭାରତ ମଣ୍ଡପମ୍‌ରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତର ଯୁବପିଢ଼ି ଆଜି ଦେଶର ବାସ୍ତବ ସମସ୍ୟାଗୁଡ଼ିକର ସମାଧାନ ନେଇ ଆଗେଇ ଆସୁଛି ଏବଂ ସେମାନଙ୍କର ସାହସ, ଆତ୍ମବିଶ୍ୱାସ ଓ ନବସୃଜନ ଦେଶର ଆଗାମୀ ଦିନକୁ ନିର୍ଦ୍ଦେଶିତ କରୁଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମାତ୍ର ଦଶକ ପୂର୍ବେ ଯେଉଁ ଷ୍ଟାର୍ଟଅପ୍‌ ଇଣ୍ଡିଆ ଏକ ସରକାରୀ ପଦକ୍ଷେପ ଭାବେ ଆରମ୍ଭ ହୋଇଥିଲା, ସେହି ପଦକ୍ଷେପ ଆଜି ଏକ ବିଶାଳ ବିପ୍ଳବର ଆକାର ନେଇଛି। ଏହାର ପରିଣାମ ସ୍ୱରୂପ ଭାରତ ବିଶ୍ୱର ତୃତୀୟ ସର୍ବବୃହତ୍‌ ଷ୍ଟାର୍ଟଅପ୍‌ ପରିସଂସ୍ଥାନ ଗଢ଼ିପାରିଛି।

ଦଶ ବର୍ଷ ପୂର୍ବେ ଦେଶରେ ଷ୍ଟାର୍ଟଅପ୍‌ର ସଂଖ୍ୟା ୫୦୦ରୁ କମ୍‌ ଥିଲା। କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟା ୨ ଲକ୍ଷରୁ ଅଧିକକୁ ପହଞ୍ଚିଛି। ୨୦୧୪ରେ ଭାରତରେ କେବଳ ୪ଟି ୟୁନିକର୍ଣ୍ଣ ଥିବାବେଳେ, ଏବେ ପ୍ରାୟ ୧୨୫ଟି ସକ୍ରିୟ ୟୁନିକର୍ଣ୍ଣ କାର୍ଯ୍ୟରତ ଅଛି। କେବଳ ୨୦୨୫ ମସିହାରେ ପ୍ରାୟ ୪୪ ହଜାର ନୂଆ ଷ୍ଟାର୍ଟଅପ୍‌ ପଞ୍ଜୀକୃତ ହୋଇଥିବା କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଷ୍ଟାର୍ଟଅପ୍‌ ଇଣ୍ଡିଆ ଆରମ୍ଭ ହେବା ପରେ ସର୍ବାଧିକ ବାର୍ଷିକ ପଞ୍ଜୀକରଣ ରେକର୍ଡ।

ସେ କହିଛନ୍ତି, ପୂର୍ବେ ରିସ୍କ ନେବାକୁ ନିରୁତ୍ସାହିତ କରାଯାଉଥିଲା, କିନ୍ତୁ ଆଜି ରିସ୍କ ନେବା ଯୁବପିଢ଼ି ପାଇଁ ଏକ ସାଧାରଣ ଓ ସ୍ୱୀକୃତ ପଥ ହୋଇପାରିଛି। ଟିୟର-୨ ଓ ଟିୟର-୩ ସହର ସହିତ ଗ୍ରାମାଞ୍ଚଳରୁ ମଧ୍ୟ ଯୁବକ-ଯୁବତୀମାନେ ତୃଣମୂଳ ସ୍ତରର ସମସ୍ୟା ସମାଧାନ ପାଇଁ ଷ୍ଟାର୍ଟଅପ୍‌ ଆରମ୍ଭ କରୁଛନ୍ତି, ଯାହା ଉଦ୍ୟମିତାକୁ ଅଧିକ ସମାବେଶୀ କରିଛି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ସ୍ୱୀକୃତିପ୍ରାପ୍ତ ପ୍ରାୟ ୪୫ ପ୍ରତିଶତ ଷ୍ଟାର୍ଟଅପ୍‌ରେ ଅନ୍ୟୁନତମ ଜଣେ ମହିଳା ନିର୍ଦ୍ଦେଶକ କିମ୍ବା ସହ-ପ୍ରତିଷ୍ଠାତା ରହିଛନ୍ତି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ସେମିକଣ୍ଡକ୍ଟର, ଗ୍ରିନ୍‌ ହାଇଡ୍ରୋଜେନ୍‌ ଓ ମହାକାଶ ପ୍ରଯୁକ୍ତି ଭଳି କ୍ଷେତ୍ରରେ ଆଗାମୀ ଦିନରେ ଭାରତୀୟ ଷ୍ଟାର୍ଟଅପ୍‌ଗୁଡ଼ିକ ନେତୃତ୍ୱଦାୟୀ ଭୂମିକା ନିଭାଇବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ସହ ଅନ୍ୟାନ୍ୟ ଉଚ୍ଚପଦସ୍ଥ ଅଧିକାରୀ ଓ ଉଦ୍ୟମୀମାନେ ଉପସ୍ଥିତ ଥିଲେ।