ନୂଆଦିଲ୍ଲୀ: କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ଏବଂ ବିଜେପିର ତାମିଲନାଡୁ ନିର୍ବାଚନ ପ୍ରଭାରୀ ପୀୟୁଷ ଗୋୟଲ ରାଜ୍ୟର ଡିଏମକେ ସରକାର ଉପରେ କଡା ଆକ୍ରମଣ କରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କ ନେତୃତ୍ୱାଧୀନ ସରକାର ସନାତନ ଧର୍ମ ଓ ହିନ୍ଦୁ ପରମ୍ପରା ବିରୋଧୀ ମନୋଭାବ ନେଇ ଶାସନ କରୁଛି। ୨୦୨୬ ରାଜ୍ୟ ନିର୍ବାଚନରେ ଏହାର ଯଥୋଚିତ ଉତ୍ତର ଜନତା ଦେବେ ବୋଲି ସେ ଦୃଢ଼ ବିଶ୍ୱାସ ପ୍ରକାଶ କରିଛନ୍ତି।

ତିରୁପ୍ପାରଙ୍କୁଣ୍ଡ୍ରମ୍ ପାହାଡ଼ ଉପରେ ଅବସ୍ଥିତ ପ୍ରାଚୀନ ମନ୍ଦିରରେ ଦୀପପ୍ରଜ୍ୱଳନକୁ ନେଇ ମାଡ୍ରାସ ହାଇକୋର୍ଟଙ୍କ ରାୟକୁ ଗୋୟଲ “ବିଶ୍ୱାସ ଓ ପରମ୍ପରାର ବିଜୟ” ବୋଲି ଅଭିହିତ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଶତାବ୍ଦୀ ପୁରୁଣା ପରମ୍ପରାକୁ ରାଜ୍ୟ ସରକାର ବନ୍ଦ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ କୋର୍ଟ ଏହାକୁ ଅବିରତ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଗୋୟଲ କହିଛନ୍ତି, କୋର୍ଟଙ୍କ ରାୟ ପରେ ମଧ୍ୟ ତାମିଲନାଡୁ ସରକାର ସୁପ୍ରିମକୋର୍ଟରେ ପୁନର୍ବିଚାର ଆବେଦନ ଦାଖଲ କରିବାରେ ଜିଦ୍ ଧରିଥିଲେ, ଯାହା ସଫଳ ହୋଇନଥିଲା। ତାଙ୍କ ମତରେ, ଏହା ପ୍ରମାଣ କରେ ଯେ ଡିଏମକେ ସରକାର ପୂର୍ବରୁ ମଧ୍ୟ ହିନ୍ଦୁ ଓ ସନାତନ ପରମ୍ପରାକୁ ଅପମାନ କରିଆସୁଛି।

ମହାରାଷ୍ଟ୍ର ପରିପ୍ରେକ୍ଷିତରେ ଗୋୟଲ କହିଛନ୍ତି ଯେ, ଉଦ୍ଧବ ଠାକରେ, ସୁପ୍ରିୟା ସୁଲେ ଏବଂ କଂଗ୍ରେସ ମିଶି “ହିନ୍ଦୁ ବିରୋଧୀ ତ୍ରିମୂର୍ତ୍ତି” ଭାବେ କାମ କରୁଛନ୍ତି। ଗତ ବିଧାନସଭା ଓ ନଗର ନିଗମ ନିର୍ବାଚନରେ ଜନତା ସେମାନଙ୍କୁ ଯଥାଯଥ ଉତ୍ତର ଦେଇଥିବା ଦାବି ସେ କରିଛନ୍ତି।

ତାମିଲନାଡୁ ସନ୍ଦର୍ଭରେ ଗୋୟଲ ଉଲ୍ଲେଖ କରିଛନ୍ତି ଯେ, ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ପୂର୍ବରୁ ସନାତନ ଧର୍ମ ବିରୋଧରେ ବିବାଦସ୍ପଦ ମନ୍ତବ୍ୟ ଦେଇଥିଲେ। ତାହା ପରେ ତିରୁପ୍ପାରଙ୍କୁଣ୍ଡ୍ରମ୍ ମନ୍ଦିରରେ ଦୀପପ୍ରଜ୍ୱଳନ ଉପରେ ପ୍ରତିବନ୍ଧ ଲଗାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି।

ହାଇକୋର୍ଟଙ୍କ ରାୟ ପରେ ଭକ୍ତମାନଙ୍କୁ ନ୍ୟାୟ ମିଳିଥିବାରୁ ସେ ସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ, ଭଗବାନ ମୁରୁଗନ ଓ କାର୍ତ୍ତିକେୟଙ୍କ ସମ୍ମାନାର୍ଥେ ଶତାବ୍ଦୀ ଧରି ଚାଲିଆସୁଥିବା ଦୀପପ୍ରଜ୍ୱଳନ ପରମ୍ପରାକୁ ଅଟୁଟ ରଖିବା ହେଉଛି ଜନଭାବନାର ସମ୍ମାନ।