ନୂଆଦିଲ୍ଲୀ, ୬ ଅକ୍ଟୋବର – କରୁରରେ ଗତ ୨୭ ସେପ୍ଟେମ୍ବରରେ ଘଟିଥିବା ଦୁଃଖଦ ଦଳାଚକଟା ଘଟଣାରେ ୪୧ ଜଣଙ୍କ ମୃତ୍ୟୁ ଏବଂ ୬୦ ରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ଘଟଣା ପରେ ଗୋଟିଏ ସପ୍ତାହ ପରେ, ଅଭିନେତା ଓ ରାଜନେତା ଥଲପତି ବିଜୟ ମୃତକ ପରିବାରବର୍ଗଙ୍କ ସହିତ ଭିଡିଓ କଲ୍ ମାଧ୍ୟମରେ ଯୋଗାଯୋଗ କରିଥିଲେ। ସେ ସମୟରେ ବିଜୟ ପରିବାରଗୁଡ଼ିକୁ ସାନ୍ତ୍ୱନା ଦେଇ ଆଶ୍ୱାସନ ଦେଇଥିଲେ ଯେ, ଶୀଘ୍ର ତିନି କରୁର ଯାଇ ସେମାନଙ୍କ ସହିତ ସାକ୍ଷାତ କରିବେ।
ଉଲ୍ଲେଖନୀୟ ଯେ, ଭେଲୁସାମ୍ୟପୁରମ ନିକଟରେ କରୁର–ଏରୋଡ୍ ହାଇୱେରେ ବିଜୟଙ୍କ ରାଲି ଅନୁଷ୍ଠିତ ହୋଇଥିଲା। ଏଠାରେ ୧୦,୦୦୦ ଲୋକଙ୍କୁ ଅନୁମତି ଥିଲା ସତ୍ତ୍ୱେ, ୨୫ ରୁ ୩୦ ହଜାର ଲୋକ ଭିଡ଼ ହୋଇଥିଲେ। ବିଜୟଙ୍କ ଆଗମନ ସମୟ ବିଳମ୍ବ ହେବାରୁ ଦିନଭର ଅପେକ୍ଷା କରୁଥିବା ଭିଡ଼ ଅସ୍ତବ୍ୟସ୍ତ ହୋଇଯାଇଥିଲା।
ତୀବ୍ର ଗରମ, ପାଣି ଓ ଖାଦ୍ୟ ଅଭାବ ଯୋଗୁଁ ଅନେକ ଲୋକ ଅଚେତ୍ ହୋଇଯାଇଥିଲେ। ବିଜୟଙ୍କ ପ୍ରଚାର ବସ୍ ଆସିବା ପରେ ଉତ୍ତେଜିତ ସମର୍ଥକମାନେ ଧକ୍କାଧକ୍କି କରି ଗଛ ଓ ବିଦ୍ୟୁତ୍ ତାର ଉପରେ ଚଢ଼ିଥିଲେ। ଏହା ଫଳରେ ବିଦ୍ୟୁତ୍ ବିଭ୍ରାଟ ଘଟି ସ୍ଥିତି ଆହୁରି ଜଟିଳ ହୋଇପଡ଼ିଥିଲା।
ମୃତକମାନଙ୍କ ମଧ୍ୟରେ ଅଧିକାଂଶ ୧୮ ରୁ ୩୦ ବର୍ଷ ବୟସର ଯୁବକ, ମହିଳା ଓ ଶିଶୁ ଥିଲେ। ଏହି ଦୁଃଖଦ ଘଟଣା ପରେ ସମଗ୍ର ତାମିଲନାଡୁ ଶୋକାକୁଲ ହୋଇଥିଲା।