ୱାସିଂଟନ: ଭେନେଜୁଏଲା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାରିବିଆନ ଦେଶ କ୍ୟୁବା ପ୍ରତି କଠୋର ମନୋଭାବ ଗ୍ରହଣ କରିଛନ୍ତି। ରବିବାର ‘ଟ୍ରୁଥ ସୋସିଆଲ’ରେ ପୋଷ୍ଟ କରି ଟ୍ରମ୍ପ ସ୍ପଷ୍ଟ କହିଛନ୍ତି ଯେ, ଆଗକୁ କ୍ୟୁବା ଭେନେଜୁଏଲାରୁ ତେଲ କିମ୍ବା ଆର୍ଥିକ ସହାୟତା ପାଇବ ନାହିଁ। ଏହାସହ ଅଧିକ ବିଳମ୍ବ ହେବା ପୂର୍ବରୁ କ୍ୟୁବାକୁ ଆମେରିକା ସହ ଚୁକ୍ତି କରିବାକୁ ପଡିବ ବୋଲି ସେ ଚେତାବନୀ ଦେଇଛନ୍ତି।

ଟ୍ରମ୍ପ ଦାବି କରିଛନ୍ତି ଯେ, ଦୀର୍ଘବର୍ଷ ଧରି କ୍ୟୁବା ଭେନେଜୁଏଲାରୁ ଟଙ୍କା ଓ ତେଲ ପାଇଆସୁଥିଲା। ଏହାର ପ୍ରତିଦାନ ସ୍ୱରୂପ କ୍ୟୁବା ଭେନେଜୁଏଲାର ଏକଛତ୍ରବାଦୀ ଶାସନକୁ ସୁରକ୍ଷା ଯୋଗାଇଥିଲା। କିନ୍ତୁ ବର୍ତ୍ତମାନ ସେହି ପରିସ୍ଥିତି ବଦଳିଯାଇଛି ବୋଲି ଟ୍ରମ୍ପ କହିଛନ୍ତି।

ଭେନେଜୁଏଲା ସନ୍ଦର୍ଭରେ ଟ୍ରମ୍ପ କହିଛନ୍ତି ଯେ, ଗତ ସପ୍ତାହ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ସମୟରେ ବହୁ ସଂଖ୍ୟକ କ୍ୟୁବାନ ନାଗରିକ ନିହତ ହୋଇଥିଲେ। ସେ ମତ ପ୍ରକାଶ କରିଛନ୍ତି ଯେ, ଭେନେଜୁଏଲାର ଗୁଣ୍ଡାଗିରି ଓ ଦାଦାବଟି ସଂସ୍କୃତିକୁ ସୁରକ୍ଷା ଦେବାର କୌଣସି ଆବଶ୍ୟକତା ନାହିଁ, ଯେଉଁ ଶାସନ ଦୀର୍ଘ ସମୟ ଧରି ଲୋକମାନଙ୍କୁ ବନ୍ଧକ ଭାବରେ ରଖିଥିଲା।

ଏହାସହ ଭେନେଜୁଏଲାର ଏକଛତ୍ରବାଦୀ ଶାସକ ନିକୋଲାସ୍ ମାଦୁରୋଙ୍କୁ କ୍ଷମତାରୁ ହଟାଯିବା ପରେ ୱାସିଂଟନ ଭେନେଜୁଏଲା ଉପରେ କଟକଣା ଆହୁରି କଢ଼ା କରିଛି ଏବଂ ତେଲ ବୋଝାଇ ନେଉଥିବା ଜାହାଜ ଜବତ କରାଯାଉଛି। ଟ୍ରମ୍ପ କହିଛନ୍ତି, ଭେନେଜୁଏଲାକୁ ନେଇ ଆମେରିକା ସେନାର ପୂର୍ଣ୍ଣ ସମର୍ଥନ ରହିଛି।

ଭେନେଜୁଏଲା ଉପରେ ଆମେରିକାର ଏହି କଠୋର ନୀତି କ୍ୟୁବାର ଅର୍ଥନୀତି ପାଇଁ ଭାରି ଆଘାତ ଆଣିଛି। କ୍ୟୁବାର ସର୍ବାଧିକ ତେଲ ଆପୂର୍ତ୍ତି ଭେନେଜୁଏଲା ଉପରେ ନିର୍ଭର କରୁଥିଲା। ମାଦୁରୋଙ୍କୁ ବନ୍ଦୀ କରାଯିବା ପରେ ଟ୍ରମ୍ପ ପ୍ରଶାସନ ଭେନେଜୁଏଲାର ତେଲ ଆମେରିକାକୁ ପଠାଇବା ପାଇଁ ଅନ୍ତରୀଣ ନେତୃତ୍ୱ ଉପରେ ସଫଳ ଭାବେ ଚାପ ପକାଇଥିବା କୁହାଯାଉଛି।