ନୂଆଦିଲ୍ଲୀ: ପାକଟିକା ପ୍ରଦେଶରେ ପାକିସ୍ତାନୀ ବିମାନ ଆକ୍ରମଣରେ ତିନି ଜଣ ଆଫଗାନୀ କ୍ରିକେଟର୍‌ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛି ଆଫଗାନିସ୍ତାନ। ଏହି ଘଟଣା ପରେ ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ACB) ପାକିସ୍ତାନ ଓ ଶ୍ରୀଲଙ୍କା ବିରୋଧରେ ଆଗାମୀ ତ୍ରିରାଷ୍ଟ୍ରୀୟ ଟି-20 ସିରିଜରୁ ଓହରି ଯିବା ଘୋଷଣା କରିଛି।

ଆଫଗାନିସ୍ତାନର ତୀବ୍ର ନିନ୍ଦା

ସୋସିଆଲ ମିଡିଆରେ ଜାରି ହୋଇଥିବା ଏକ ବିବୃତ୍ତିରେ, ACB ଏହି ଆକ୍ରମଣକୁ “ପାକିସ୍ତାନ ଶାସନ ଦ୍ୱାରା କରାଯାଇଥିବା ଏକ କାପୁରୁଷ ଆକ୍ରମଣ” ବୋଲି ବର୍ଣ୍ଣନା କରି ତୀବ୍ର ନିନ୍ଦା କରିଛି। ଆଫଗାନିସ୍ତାନ ନଭେମ୍ବର ୫ ରୁ ୨୯ ପର୍ଯ୍ୟନ୍ତ ଲାହୋର ଏବଂ ରାୱଲପିଣ୍ଡିରେ ହେବାକୁ ଥିବା ତ୍ରି-ସିରିଜରେ ଅଂଶଗ୍ରହଣ କରିବାକୁ ଥିଲା।

ରସିଦ ଖାନଙ୍କ ପ୍ରତିକ୍ରିୟା

ଆଫଗାନିସ୍ତାନ ଦଳପତି ରସିଦ ଖାନ ଏହି ବିମାନ ଆକ୍ରମଣକୁ “ବର୍ବର” ବୋଲି ବର୍ଣ୍ଣନା କରି, ତାଙ୍କ ଦେଶର ସିରିଜରୁ ପ୍ରତିସ୍ଥାନ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି।

ଏୟାର୍‌ ଷ୍ଟ୍ରାଇକ୍‌ରେ ମୃତ ୩ ଖେଳାଳି

ସ୍ଥାନୀୟ ସୂଚନା ଅନୁସାରେ, ଉର୍ଗୁନ୍ ଜିଲ୍ଲାରେ ହୋଇଥିବା ପାକିସ୍ତାନୀ ଏୟାର୍‌ ଷ୍ଟ୍ରାଇକ୍‌ରେ କବୀର, ସିବଘାତୁଲ୍ଲା ଓ ହାରୁନ୍‌ ନାମକ ତିନି ଜଣ ଘରୋଇ କ୍ରିକେଟର ସହିତ ମୋଟ ୫ ଜଣଙ୍କ ମୃତ୍ୟୁ ଘଟିଛି, ଏବଂ ଅନ୍ୟ ୭ ଜଣ ଗୁରୁତର ଆହତ ହୋଇଛନ୍ତି।

ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢିଲା

ଅକ୍ଟୋବର ୧୧ ରୁ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ତିବ୍ର ଉତ୍ତେଜନା ଚାଲିଆସୁଛି। ଆଫଗାନ ସେନା ପାକିସ୍ତାନୀ ସେନା ପୋଷ୍ଟ ଉପରେ ଆକ୍ରମଣ କରିବା ପରେ ସୀମା ଅଞ୍ଚଳରେ ଭୟାନକ ସଂଘର୍ଷ ଆରମ୍ଭ ହୋଇଥିଲା।