କୋଚି: ଫୁଟବଲ୍ ପ୍ରେମୀଙ୍କ ପାଇଁ ଖୁସିର ଖବର। ବିଶ୍ୱଚାମ୍ପିୟନ ଆର୍ଜେଣ୍ଟିନା ନଭେମ୍ବରରେ କେରଳରେ ଏକ ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ (ଫ୍ରେଣ୍ଡଲୀ) ମ୍ୟାଚ୍ ଖେଳିବ। ଏହା ନେଇ ଆର୍ଜେଣ୍ଟିନା ପକ୍ଷରୁ ଶନିବାର ସରକାରୀ ଘୋଷଣା ହୋଇଛି।

ମ୍ୟାଚ୍‌ଟି ନଭେମ୍ବର ୧୦ରୁ ୧୮ ମଧ୍ୟରେ କୋଚି କିମ୍ବା ଥିରୁଭାନନ୍ତପୁରମରେ ଆୟୋଜିତ ହେବାର ସମ୍ଭାବନା ରହିଛି। ଲିଓନେଲ ସ୍କାଲୋନିଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ଦଳ ଏହି ବର୍ଷ ଦୁଇ ପର୍ଯ୍ୟାୟରେ ଫିଫା ଫ୍ରେଣ୍ଡଲୀ ମ୍ୟାଚ୍ ଖେଳିବାକୁ ଯୋଜନା କରିଛି।

ପ୍ରଥମ ପର୍ଯ୍ୟାୟର ମ୍ୟାଚ୍‌ଗୁଡ଼ିକ ଅକ୍ଟୋବର ୬ରୁ ୧୪ ମଧ୍ୟରେ ଆମେରିକାରେ ହେବ। କିନ୍ତୁ ସେଥିରେ କେଉଁ ସହର ଏବଂ କେଉଁ ପ୍ରତିପକ୍ଷ ଦଳ ସହିତ ଖେଳାଯିବ, ସେଥିରେ ସ୍ପଷ୍ଟତା ଆସିନାହିଁ।

ଦ୍ୱିତୀୟ ପର୍ଯ୍ୟାୟର ଫ୍ରେଣ୍ଡଲୀ ମ୍ୟାଚ୍‌ଗୁଡ଼ିକ ନଭେମ୍ବର ୧୦ରୁ ୧୮ ମଧ୍ୟରେ ଲୁଆଣ୍ଡା (ଆଙ୍ଗୋଲା) ଓ କେରଳରେ ହେବ। କେରଳ କ୍ରୀଡ଼ାମନ୍ତ୍ରୀ ଭି. ଅବଦୁରହିମାନ କହିଛନ୍ତି, “ଲିଓନେଲ ମେସିଙ୍କ ନେତୃତ୍ୱରେ ବିଶ୍ୱକପ୍ ଜିତିଥିବା ଆର୍ଜେଣ୍ଟିନା ଦଳ କେରଳରେ ଫ୍ରେଣ୍ଡଲୀ ମ୍ୟାଚ୍ ଖେଳିବା ଆମ ପାଇଁ ଐତିହାସିକ ମୁହୂର୍ତ୍ତ।”