ନୂଆଦିଲ୍ଲୀ: ବିସିସିଆଇ ପକ୍ଷରୁ ୨୦୨୫-୨୬ ମୌସମ ପାଇଁ ପୁରୁଷ ଓ ମହିଳା ଖେଳାଳିଙ୍କ ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ତାଲିକା ସୋମବାର ଘୋଷଣା କରାଯାଇଛି। ଏଥିରେ ୩୦ ଜଣ ବରିଷ୍ଠ ପୁରୁଷ ଖେଳାଳିଙ୍କୁ ସ୍ଥାନ ମିଳିଥିବାବେଳେ ଗ୍ରେଡ୍‌ ବିଭାଗରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।

ଏଥର ସର୍ବୋଚ୍ଚ ଗ୍ରେଡ୍‌-ଏ+ ବର୍ଗକୁ ଅପସାରଣ କରାଯାଇଛି। ଭାରତର ଦୁଇ ବରିଷ୍ଠ ତାରକା ବିରାଟ କୋହଲି ଓ ରୋହିତ ଶର୍ମା ପୂର୍ବତନ ଏ+ ଶ୍ରେଣୀରୁ ଖସି ଗ୍ରେଡ୍‌-ବିରେ ରଖାଯାଇଛନ୍ତି। ଉଭୟ ଖେଳାଳି ଟେଷ୍ଟ ଓ ଟ୍ବେଣ୍ଟି-୨୦ ଫର୍ମାଟ୍‌ରୁ ଅବସର ନେଇ କେବଳ ଦିନିକିଆ ଫର୍ମାଟ୍‌ରେ ଖେଳୁଥିବାରୁ ଏହି ସିଦ୍ଧାନ୍ତ ନିଆଯାଇଥିବା ସୂଚନା ମିଳିଛି।

ଗ୍ରେଡ୍‌-ଏ ଶ୍ରେଣୀରେ ଏଥର କେବଳ ତିନି ଜଣ ଖେଳାଳି—ଟେଷ୍ଟ ଓ ଦିନିକିଆ ଅଧିନାୟକ ଶୁଭମନ ଗିଲ୍‌, ରବୀନ୍ଦ୍ର ଜାଦେଜା ଓ ଯଶପ୍ରୀତ ବୁମ୍ରା—ସ୍ଥାନ ପାଇଛନ୍ତି।

ଗ୍ରେଡ୍‌-ବିରେ କୋହଲି ଓ ରୋହିତଙ୍କ ସହ ଟ୍ବେଣ୍ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର, ମହମ୍ମଦ ସିରାଜ, ଋଷଭ ପନ୍ତ, କୁଳଦୀପ ଯାଦବ, ଯଶସ୍ୱୀ ଜୟସ୍ୱାଲ ଓ ଶ୍ରେୟସ ଆୟରଙ୍କୁ ରଖାଯାଇଛି।

ଗ୍ରେଡ୍‌-ସିରେ ଅକ୍ଷର ପଟେଲ, ତିଳକ ବର୍ମା, ରିଙ୍କୁ ସିଂହ, ଶିବମ ଦୁବେ, ସଞ୍ଜୁ ସାମ୍ସନ, ଆକାଶ ଦୀପ, ଧ୍ରୁବ ଜୁରେଲ, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ, ନୀତୀଣ କୁମାର ରେଡ୍ଡୀ, ଅଭିଷେକ ଶର୍ମା, ସାଇ ସୁଦର୍ଶନ, ରବି ବିଷ୍ଣୋଇ ଓ ଋତୁରାଜ ଗାଏକ୍ବାଡଙ୍କୁ ସ୍ଥାନ ମିଳିଛି।

ମହିଳା ବିଭାଗରେ ଗ୍ରେଡ୍‌-ଏରେ ହରମନପ୍ରୀତ କୌର, ସ୍ମୃତି ମନ୍ଧାନା, ଜେମିମା ରଡ୍ରିଗ୍ସ ଓ ଦୀପ୍ତି ଶର୍ମା ରହିଛନ୍ତି। ଗ୍ରେଡ୍‌-ବିରେ ରେଣୁକା ଠାକୁର, ଶେଫାଳି ବର୍ମା, ରିଚା ଘୋଷ ଓ ସ୍ନେହ ରଣାଙ୍କୁ ସ୍ଥାନ ମିଳିଛି। ଗ୍ରେଡ୍‌-ସିରେ ଅନ୍ୟାନ୍ୟ ଉଦୀୟମାନ ଖେଳାଳିମାନେ ସମ୍ମିଳିତ ହୋଇଛନ୍ତି।