ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ଷ୍ଟାର ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଦିନିକିଆ ସିରିଜ୍ରେ ଭାଗ ନେବାକୁ ଚାହୁଁଥିଲେ, ସେମାନଙ୍କୁ ଆଗାମୀ ଦିନରେ ଘରୋଇ କ୍ରିକେଟ୍ ଖେଳିବା ଆବଶ୍ୟକ — ବୋର୍ଡ ଏହି ମେସେଜ୍ ସ୍ପଷ୍ଟ କରିଛି।
ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦିନିକିଆ ମ୍ୟାଚ୍ରେ ରୋହିତ ଶର୍ମା ଶତକ ଏବଂ ବିରାଟ କୋହଲି ଅର୍ଦ୍ଧଶତକ କରି ଭାରତକୁ ବିଜୟ ଦେଇଥିଲେ। ଦୁଇଜଣଙ୍କ ଇନିଂସ୍ ଆଲୋଚନାରେ ଥିଲେ ମଧ୍ୟ, ବିସିସିଆଇ ଏହି ଦୁଇ ଜଣ ସିନିୟରଙ୍କ ମ୍ୟାଚ୍ ଫିଟନେସ୍ ନେଇ ଚିନ୍ତିତ।
ସୂତ୍ରମାନଙ୍କ ଅନୁସାରେ, ଟେଷ୍ଟ ଏବଂ ଟି-୨୦ ଫର୍ମାଟ୍ରୁ ଅବସର ନେଇସାରିଥିବା ଏହି ଦୁଇ ଖେଳାଳି ଏବେ କେବଳ ୫୦ ଓଭର ଖେଳୁଛନ୍ତି। ସେଥିପାଇଁ ତାଙ୍କ ଫିଟନେସ୍ ଏବଂ ଖେଳ ଫର୍ମ ଅବିକଳ ରଖିବା ଲାଗି ବିସିସିଆଇ ତାଙ୍କୁ ଘରୋଇ କ୍ରିକେଟ୍ ଖେଳିବାକୁ ନିର୍ଦେଶ ଦେଇଛି।
ଦକ୍ଷିଣ ଆଫ୍ରିକା ବିପକ୍ଷ ଆସନ୍ତା ଦିନିକିଆ ସିରିଜ୍ ପୂର୍ବରୁ ବିଜୟ ହଜାରେ ଟ୍ରଫିରେ ରୋହିତ ଓ କୋହଲିଙ୍କ ଅଂଶଗ୍ରହଣ ନେଇ ଚର୍ଚ୍ଚା ଚାଲିଛି। ରୋହିତ ଶର୍ମା ପୂର୍ବରୁ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍କୁ ଜଣାଇଛନ୍ତି ଯେ ସେ ଏହି ଟୁର୍ନାମେଣ୍ଟରେ ଖେଳିବାକୁ ଉପଲବ୍ଧ ରହିବେ। ତେବେ, ବିରାଟ କୋହଲି ଏପର୍ଯ୍ୟନ୍ତ ନିଜ ଉପଲବ୍ଧତା ସ୍ପଷ୍ଟ କରିନାହାନ୍ତି।
ବିସିସିଆଇ ସ୍ପଷ୍ଟ କରିଛି ଯେ, ଯଦି ସେମାନେ ଦିନିକିଆ ଦଳର ଅଂଶ ହେବାକୁ ଚାହାଁନ୍ତି, ତେବେ ଘରୋଇ ମ୍ୟାଚ୍ ଖେଳି ନିଜ ଫିଟନେସ୍ ଓ ଫର୍ମ ସାବ୍ୟସ୍ତ କରିବା ଆବଶ୍ୟକ।
ଏପର୍ଯ୍ୟନ୍ତ ରୋହିତ କିମ୍ବା କୋହଲି ଏହି ନିର୍ଦ୍ଦେଶ ଉପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।





