ନୂଆଦିଲ୍ଲୀ, ୨୭ ଡିସେମ୍ବର: ଭାରତୀୟ ମହିଳା କ୍ରିକେଟ୍‌ ଦଳର ଅଧିନାୟିକା ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ କ୍ରିକେଟ୍‌ରେ ଏକ ଐତିହାସିକ ମାଇଲସ୍ଟୋନ୍‌ ସ୍ଥାପନ କରିଛନ୍ତି। ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ସେ ନିଜ ନାମରେ ଲେଖାଇଛନ୍ତି।

ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଖେଳାଯାଇଥିବା ଶ୍ରୀଲଙ୍କା ବିରୋଧୀ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୮ ଉଇକେଟରେ ବିଜୟ ହାସଲ କରିଥିଲା। ଏହି ବିଜୟ ସହିତ ହରମନପ୍ରୀତଙ୍କ ନେତୃତ୍ୱରେ ଭାରତୀୟ ଦଳର ଟି୨୦ ବିଜୟ ସଂଖ୍ୟା ୭୭ରେ ପହଞ୍ଚିଛି, ଯାହା ମହିଳା ଅନ୍ତର୍ଜାତୀୟ ଟି୨୦ରେ ସର୍ବାଧିକ।

ଏହା ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟିକା ମେଗ୍‌ ଲାନିଂଙ୍କ ନାମରେ ଥିଲା, ଯିଏ ଅଧିନାୟିକା ଭାବେ ୭୬ଟି ଟି୨୦ ବିଜୟ ହାସଲ କରିଥିଲେ।

ଏହା ସହିତ ହରମନପ୍ରୀତ୍‌ କୌର ୧୩୦ଟି ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ରେ ଭାରତକୁ ନେତୃତ୍ୱ ଦେଇ ସବୁଠାରୁ ଅଧିକ ମ୍ୟାଚ୍‌ରେ ଅଧିନାୟକତ୍ୱ କରିଥିବା ଖେଳାଳି ଭାବେ ମଧ୍ୟ ରେକର୍ଡ କରିଛନ୍ତି।

ବିଶ୍ୱ କ୍ରିକେଟ୍‌ରେ ହରମନପ୍ରୀତ୍‌ ସମେତ କେବଳ ୩ ଜଣ ଖେଳାଳି ୧୦୦ରୁ ଅଧିକ ଟି୨୦ ମ୍ୟାଚ୍‌ରେ ଜାତୀୟ ଦଳର ନେତୃତ୍ୱ ଭାର ନିଭାଇଛନ୍ତି। ଏହି ସୂଚୀରେ ମେଗ୍‌ ଲାନିଂ ଓ ଶ୍ରୀଲଙ୍କାର ଚମାରି ଆତାପାତଥୁ ମଧ୍ୟ ସାମିଲ ଅଛନ୍ତି।