ଭୁବନେଶ୍ବର: ଦୀର୍ଘ ୯ ବର୍ଷର ପ୍ରତୀକ୍ଷା ପରେ ହକି ଇଣ୍ଡିଆ ଲିଗ୍ (HIL) ପୁଣିଥରେ କ୍ରୀଡ଼ା ରାଜଧାନୀ ଭୁବନେଶ୍ବରକୁ ଫେରିଛି। ଚେନ୍ନାଇ ଓ ରାଞ୍ଚିରେ ହୋଇଥିବା ପ୍ରଥମ ଦୁଇ ପର୍ଯ୍ୟାୟ ପରେ, ଲିଗ୍ର ପୁରୁଷ ବର୍ଗର ଶେଷ ପର୍ଯ୍ୟାୟ ମ୍ୟାଚ୍ଗୁଡ଼ିକ ଶନିବାରଠାରୁ କଳିଙ୍ଗ ଷ୍ଟାଡିୟମ୍ ସ୍ଥିତ ହକି କମ୍ପ୍ଲେକ୍ସରେ ଖେଳାଯିବ।
ଏହି ପର୍ଯ୍ୟାୟରେ ୯ଟି ଲିଗ୍ ମ୍ୟାଚ୍ ସହ କ୍ୱାଲିଫାୟର୍, ଏଲିମିନେଟର୍, ତୃତୀୟ–ଚତୁର୍ଥ ସ୍ଥାନ ମ୍ୟାଚ୍ ଏବଂ ଫାଇନାଲ୍ ଆୟୋଜିତ ହେବ। ମ୍ୟାଚ୍ଗୁଡ଼ିକ ପାଇଁ କଳିଙ୍ଗ ଷ୍ଟାଡିୟମ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଗତ ବର୍ଷ ହକି ଇଣ୍ଡିଆ ଲିଗ୍ ପୁନଃ ଆରମ୍ଭ ହେଲେ ମଧ୍ୟ କଳିଙ୍ଗ ଷ୍ଟାଡିୟମ୍ରେ କୌଣସି ମ୍ୟାଚ୍ ହୋଇନଥିବାରୁ ଭୁବନେଶ୍ବରର ଦର୍ଶକମାନେ ଏହି ରୋମାଞ୍ଚକ ଲିଗ୍କୁ ମିସ୍ କରିଥିଲେ।
ଏବେ ଲିଗ୍ କଳିଙ୍ଗକୁ ଫେରିଥିବାରୁ ହକି ପ୍ରେମୀମାନଙ୍କ ମଧ୍ୟରେ ଉତ୍ସାହ ଚରମ ସୀମାରେ ପହଞ୍ଚିଛି। ପ୍ରବେଶ ପାଇଁ ମାଗଣା ଟିକେଟ୍ ବ୍ୟବସ୍ଥା ରହିଥିବାରୁ ଅଧିକ ସଂଖ୍ୟାରେ ଦର୍ଶକ ଷ୍ଟାଡିୟମ୍ରେ ଭିଡ଼ ଜମାଇବେ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି।
ଏହି ସଂସ୍କରଣରେ ଘରୋଇ ଦଳ ବେଦାନ୍ତ କଳିଙ୍ଗ ଲାନ୍ସର୍ସ ସହ ଗତ ସଂସ୍କରଣର ବିଜେତା ଶ୍ରାଚୀ ବେଙ୍ଗଲ ଟାଇଗର୍ସ, ଉପବିଜେତା ହାଇଦ୍ରାବାଦ ତୁଫାନ୍ସ, ଜେଏସ୍ଡବ୍ଲ୍ୟୁ ସୁର୍ମା ହକି କ୍ଲବ୍, ଏସ୍ଜି ପାଇପର୍ସ, ଆକୋର୍ଡ ତାମିଲନାଡ଼ୁ ଡ୍ରାଗନ୍ସ, ରାଞ୍ଚି ରୟାଲ୍ସ ଓ ହିଲ୍ ଜିସି ଅଂଶଗ୍ରହଣ କରୁଛନ୍ତି।
କଳିଙ୍ଗ ଲାନ୍ସର୍ସ ପ୍ରଥମ ଦୁଇ ପର୍ଯ୍ୟାୟରେ ଅପରାଜେୟ ରହି ଦମଦାର ପ୍ରଦର୍ଶନ କରିଛି। ୪ଟି ମ୍ୟାଚ୍ରୁ ୩ଟି ସିଧାସଳଖ ଓ ଗୋଟିଏ ସୁଟ୍ଆଉଟ୍ ବିଜୟ ସହ ୧୧ ପଏଣ୍ଟ୍ ପାଇ ଦଳ ବର୍ତ୍ତମାନ ଟେବୁଲର ଶୀର୍ଷରେ ରହିଛି। ଘରୋଇ ପଡ଼ିଆରେ ଆଉ ୩ଟି ମ୍ୟାଚ୍ ଖେଳିବାକୁ ଥିବାରୁ ଶୀର୍ଷ–୨ ମଧ୍ୟରେ ରହି କ୍ୱାଲିଫାୟର୍–୧ ଖେଳିବା ଲକ୍ଷ୍ୟ ରଖିଛି ଲାନ୍ସର୍ସ।
ଯଦିଓ ଘରୋଇ ଦଳ କଳିଙ୍ଗ ଲାନ୍ସର୍ସ, ତଥାପି ଓଡ଼ିଶାର ତାରକା ଡିଫେଣ୍ଡର ଅମିତ ରୋହିଦାସ ତାମିଲନାଡ଼ୁ ଡ୍ରାଗନ୍ସର ଅଧିନାୟକ ଭାବେ ମାଇଦାନକୁ ଓହ୍ଲାଇବେ। ଏହି ଦଳରେ ଆଉ ଦୁଇ ଓଡ଼ିଆ ଖେଳାଳି ଆନନ୍ଦ ଲାକ୍ରା ଓ ଆଦ୍ରୋହିତ ଏକ୍କା ରହିଥିବାରୁ ଡ୍ରାଗନ୍ସକୁ ମଧ୍ୟ କଳିଙ୍ଗ ଦର୍ଶକଙ୍କ ସମର୍ଥନ ମିଳିବା ସମ୍ଭାବନା ରହିଛି। ଏହାଛଡ଼ା ହାଇଦ୍ରାବାଦ ତୁଫାନ୍ସ, ବେଙ୍ଗଲ ଟାଇଗର୍ସ, ରାଞ୍ଚି ରୟାଲ୍ସ ଓ ହିଲ୍ ଜିସିରେ ମଧ୍ୟ ଅନେକ ଓଡ଼ିଶା ଖେଳାଳି ଦଳକୁ ଶକ୍ତି ଯୋଗାଉଛନ୍ତି।
ଶନିବାର କଳିଙ୍ଗ ଷ୍ଟାଡିୟମ୍ରେ ଦୁଇଟି ମ୍ୟାଚ୍ ଖେଳାଯିବ। ସଂଧ୍ୟା ୫ଟାରେ ବେଙ୍ଗଲ ଟାଇଗର୍ସ ଓ ହାଇଦ୍ରାବାଦ ତୁଫାନ୍ସ ମୁହାଁମୁହିଁ ହେବାବେଳେ, ରାତି ୭ଟାରେ ଘରୋଇ ଦଳ କଳିଙ୍ଗ ଲାନ୍ସର୍ସ ଏସ୍ଜି ପାଇପର୍ସକୁ ଭେଟିବ। ୨୨ ତାରିଖରେ ଲିଗ୍ ପର୍ଯ୍ୟାୟ ଶେଷ ହେବା ପରେ ୨୩ରେ କ୍ୱାଲିଫାୟର୍–୧ ଓ ଏଲିମିନେଟର୍, ୨୫ରେ କ୍ୱାଲିଫାୟର୍–୨ ଏବଂ ୨୬ରେ ତୃତୀୟ ସ୍ଥାନ ମ୍ୟାଚ୍ ସହ ଫାଇନାଲ୍ ଖେଳାଯିବ।
ହକି ଇଣ୍ଡିଆ ଲିଗ୍ର ଏହି ଶେଷ ପର୍ଯ୍ୟାୟ ମ୍ୟାଚ୍ଗୁଡ଼ିକ କଳିଙ୍ଗ ଷ୍ଟାଡିୟମ୍କୁ ପୁଣିଥରେ ଦେଶର ହକି ମାନଚିତ୍ରର କେନ୍ଦ୍ରବିନ୍ଦୁ କରିବାକୁ ପ୍ରସ୍ତୁତ।





