ହାଇଦ୍ରାବାଦ: ପରିବେଶ ସୁରକ୍ଷା ଓ ସ୍ଥାୟୀ ବିକାଶକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ‘ହକି ଇଣ୍ଡିଆ’ ପକ୍ଷରୁ ଏକ ଅଭିନବ ସବୁଜ ଅଭିଯାନ ଆରମ୍ଭ କରାଯାଇଛି। ତେଲେଙ୍ଗାନାର ହାଇଦ୍ରାବାଦରେ ଆୟୋଜିତ ହେବାକୁଥିବା ହକି ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟକୁ ଅବସର କରି ବନୀକରଣ ସଚେତନତା ବୃଦ୍ଧି ପାଇଁ ‘ଆଡପ୍ଟଟ୍ରୀ’ ନାମକ ସ୍ୱେଚ୍ଛାସେବୀ ସଂଗଠନ ସହ ମିଳିତ ପଦକ୍ଷେପ ନିଆଯାଇଛି।
ମାର୍ଚ୍ଚ ୮ରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁଥିବା ଏହି ପ୍ରତିଯୋଗିତା ସମୟରେ ଖେଳର ପ୍ରତ୍ୟେକ ସଫଳତାକୁ ପରିବେଶ ସୁରକ୍ଷା ସହ ଯୋଡ଼ାଯାଇଛି। ପ୍ରତି ପେନାଲ୍ଟି କର୍ଣ୍ଣର ପାଇଁ ୫୦ଟି ଓ ପ୍ରତ୍ୟେକ ଗୋଲ୍ ପାଇଁ ୧୦୦ଟି କରି ବୃକ୍ଷରୋପଣ କରାଯିବ। ଏହି ଗଛଗୁଡ଼ିକୁ ତେଲେଙ୍ଗାନା ସହ ନାଗାଲାଣ୍ଡ ଓ ଅରୁଣାଚଳ ପ୍ରଦେଶରେ ରୋପଣ କରାଯିବ ବୋଲି ସୂଚନା ମିଳିଛି।
ଏହି ସବୁଜ ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ଖେଳାଳି, ପ୍ରଶଂସକ ଓ ସାଧାରଣ ଲୋକଙ୍କ ମଧ୍ୟରେ ପରିବେଶ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି କରିବା ସହ ଦୀର୍ଘକାଳୀନ ପରିବେଶଗତ ଐତିହ୍ୟ ଗଢ଼ି ତୋଳିବା। ଏହା ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍)ର ‘ଜଙ୍ଗଲକୁ ଫେରାଇବା’ ଅଭିଯାନକୁ ମଧ୍ୟ ସୁଦୃଢ଼ କରିବ।
ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି କହିଛନ୍ତି ଯେ, ହକି କେବଳ ଖେଳରେ ସୀମିତ ନୁହେଁ, ବରଂ ସାମାଜିକ ଦାୟିତ୍ୱ ଓ ନାଗରିକ ମୂଲ୍ୟବୋଧକୁ ମଧ୍ୟ ପ୍ରତିଫଳିତ କରେ। ଗୋଲ୍ ଓ ପେନାଲ୍ଟି କର୍ଣ୍ଣରକୁ ବୃକ୍ଷରୋପଣ ସହ ଯୋଡ଼ି ପରିବେଶ ସୁରକ୍ଷାରେ ଅର୍ଥପୂର୍ଣ୍ଣ ଅବଦାନ ରଖିବା ଲକ୍ଷ୍ୟ ରହିଛି।
ସୂଚନାଯୋଗ୍ୟ ଯେ, ଏହି ଯୋଗ୍ୟତା ପର୍ଯ୍ୟାୟରେ ଆୟୋଜକ ଭାରତ ସହ ଇଂଲଣ୍ଡ, ସ୍କଟଲାଣ୍ଡ, କୋରିଆ, ଇଟାଲି, ଉରୁଗୁଏ, ୱେଲ୍ସ ଓ ଅଷ୍ଟ୍ରିଆ ଭଳି ଦେଶ ଅଂଶଗ୍ରହଣ କରିବେ। ଏଠାରୁ ତିନିଟି ଦଳ ବେଲଜିୟମ ଓ ନେଦରଲାଣ୍ଡସ୍ରେ ଆୟୋଜିତ ହେବାକୁଥିବା ହକି ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିବେ।





