ଦୁବାଇ: ଟ୍ୱେଣ୍ଟି-୨୦ ବିଶ୍ୱକପ୍‌କୁ ନେଇ ବାଂଲାଦେଶ କ୍ରିକେଟ୍‌ ବୋର୍ଡ (ବିସିବି) ଉପରେ ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି) କଠୋର ରୂପ ନେଇଛି। ପୂର୍ବନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଭାରତରେ ମ୍ୟାଚ୍‌ ଖେଳିବାକୁ ଦଳ ପଠାଇବା ବିଷୟରେ ବାଂଲାଦେଶକୁ ଦିନକ ମଧ୍ୟରେ ସ୍ପଷ୍ଟ ନିଷ୍ପତ୍ତି ନେବାକୁ ଆଇସିସି ଅଲ୍ଟିମେଟମ୍‌ ଦେଇଛି। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସକାରାତ୍ମକ ସିଦ୍ଧାନ୍ତ ନ ଆସିଲେ ବାଂଲାଦେଶକୁ ବିଶ୍ୱକପ୍‌ରୁ ବାଦ୍‌ ଦିଆଯାଇପାରେ ଏବଂ ସ୍କଟଲାଣ୍ଡ୍‌କୁ ସ୍ଥାନ ମିଳିବ।

ସୁରକ୍ଷା କାରଣ ଦର୍ଶାଇ ଭାରତରେ ମ୍ୟାଚ୍‌ ଖେଳିବାକୁ ଅସମ୍ମତି ପ୍ରକାଶ କରୁଥିବା ବିସିବିର ଅବସ୍ଥାନ ନେଇ ବୁଧବାର ଆଇସିସିର ଗୁରୁତ୍ୱପୂର୍ଣ୍ଣ ବୋର୍ଡ ବୈଠକ ବସିଥିଲା। ବୈଠକରେ ଉପସ୍ଥିତ ୧୫ଜଣ ନିର୍ଦ୍ଦେଶକଙ୍କ ମଧ୍ୟରୁ ୧୪ଜଣ ବାଂଲାଦେଶ ବିରୋଧରେ ମତ ଦେଇଥିବାବେଳେ କେବଳ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ବିସିବିକୁ ସମର୍ଥନ କରିଥିଲା। ବହୁ ଆଲୋଚନା ପରେ ଭାରତ ଆସି ମ୍ୟାଚ୍‌ ଖେଳିବାରେ ଅଟଳ ଅସ୍ୱୀକୃତି ଥିବାରୁ ବାଂଲାଦେଶକୁ ବିଶ୍ୱକପ୍‌ରୁ ବାଦ୍‌ ଦେବା ପକ୍ଷରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି।

ଗତ କିଛି ଦିନ ଧରି ଆଇସିସି ବିଭିନ୍ନ ସ୍ତରରେ ବିସିବିକୁ ଭାରତରେ ମ୍ୟାଚ୍‌ ଖେଳିବାକୁ ବୁଝାଇଥିଲା। ଖେଳାଳିଙ୍କ ସୁରକ୍ଷା ନେଇ କୌଣସି ଆଶଙ୍କା ନାହିଁ ବୋଲି ଜଣାଇବାକୁ ଆଇସିସି ପକ୍ଷରୁ ପର୍ଯ୍ୟବେକ୍ଷକ ମଧ୍ୟ ପଠାଯାଇଥିଲେ। ଏପରିକି କିଛି ବାଂଲାଦେଶୀ ଖେଳାଳି ଓ ପୂର୍ବତନ କ୍ରିକେଟର୍‌ମାନେ ମଧ୍ୟ ବିବାଦ ଏଡ଼ାଇ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବା ପକ୍ଷରେ ମତ ଦେଇଥିଲେ। ତଥାପି ବିସିବିର କିଛି ଅଧିକାରୀଙ୍କ ଅଡ଼ିଗ ଅବସ୍ଥାନ ଯୋଗୁଁ ସମସ୍ୟା ଗଭୀର ହୋଇଥିଲା।

ସୁରକ୍ଷା ନିଶ୍ଚିତତା ଦେଲା ଆଇସିସି

ବୈଠକରେ ଆଇସିସି ଅଧ୍ୟକ୍ଷ ଜୟ ସାହ, ବିସିସିଆଇ ସଂପାଦକ ଦେବଜିତ ସାଇକିଆ, ବିସିବି ସଭାପତି ଅମିନୁଲ ଇସଲାମ, ଆଇସିସି ସିଇଓ ସଂଯୋଗ ଗୁପ୍ତା, ଉପାଧ୍ୟକ୍ଷ ଇମ୍ରାନ ଖୱାଜା ଓ ଅନ୍ୟାନ୍ୟ ଶୀର୍ଷ ଅଧିକାରୀ ଉପସ୍ଥିତ ଥିଲେ। ଏହି ଅବସରରେ ଆଇସିସିର ଦୁର୍ନୀତି ନିବାରଣ ୟୁନିଟ୍‌ ମୁଖ୍ୟ ଆଣ୍ଡ୍ରୁ ଏଫାଗ୍ରେଭ୍‌ ବିସିବି ସଭାପତିଙ୍କୁ ଭାରତରେ ସମ୍ପୂର୍ଣ୍ଣ ସୁରକ୍ଷା ଦିଆଯିବ ବୋଲି ବ୍ୟକ୍ତିଗତ ଭାବେ ନିଶ୍ଚିତତା ଦେଇଥିଲେ। ତେବେ ସରକାର ସହ ଆଲୋଚନା କରି ଅନ୍ତିମ ନିଷ୍ପତ୍ତି ନିଆଯିବ ବୋଲି ବିସିବି ପକ୍ଷରୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ର ଗ୍ରୁପ୍‌–ସିରେ ଥିବା ବାଂଲାଦେଶର ପ୍ରଥମ ତିନୋଟି ମ୍ୟାଚ୍‌ ଫେବ୍ରୁଆରି ୭, ୯ ଓ ୧୪ରେ କୋଲକାତାରେ ଏବଂ ଶେଷ ମ୍ୟାଚ୍‌ ଫେବ୍ରୁଆରି ୧୭ରେ ମୁମ୍ବାଇରେ ଖେଳିବା ସୂଚୀ ରହିଛି। ବର୍ତ୍ତମାନ ବିସିବିର ଅନ୍ତିମ ସିଦ୍ଧାନ୍ତ ଉପରେ ବାଂଲାଦେଶର ବିଶ୍ୱକପ୍‌ ଭବିଷ୍ୟତ ନିର୍ଭର କରୁଛି।