ମେଲବର୍ଣ୍ଣ: ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ (MCG)ରେ ଖେଳାଯାଇଥିବା ଚତୁର୍ଥ ଆସେସ ଟେଷ୍ଟ ମାତ୍ର ଦୁଇ ଦିନରେ ଶେଷ ହୋଇଯାଇଥିବାରୁ ପିଚ୍‌କୁ ନେଇ ପ୍ରଶ୍ନ ଉଠିଥିଲା। ଅତ୍ୟଧିକ ବୋଲର-ଉପଯୋଗୀ ପିଚ୍ ହେବାରୁ ମ୍ୟାଚର ପ୍ରଥମ ଦିନ ୨୦ଟି ଓ ଦ୍ୱିତୀୟ ଦିନ ୧୬ଟି ୱିକେଟ୍ ପଡ଼ିଥିଲା। ଏହା ସହିତ ସମ୍ପୂର୍ଣ୍ଣ ମ୍ୟାଚରେ କୌଣସି ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ ମଧ୍ୟ ଅର୍ଜନ କରିପାରିନଥିଲେ।

ଏହି ପରିସ୍ଥିତିକୁ ଗୁରୁତ୍ୱର ସହ ନେଇ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) କାର୍ଯ୍ୟାନୁଷ୍ଠାନ ନେଇଛି। ଆଇସିସି MCG ପିଚ୍‌କୁ ‘ଅନସାଟିସଫାକ୍ଟରି’ (ସନ୍ତୋଷଜନକ ନୁହେଁ) ଘୋଷଣା କରି ଗ୍ରାଉଣ୍ଡକୁ ଗୋଟିଏ ଡିମେରିଟ୍ ପଏଣ୍ଟ ପ୍ରଦାନ କରିଛି। ‘ଆଇସିସି ପିଚ୍ ଏବଂ ଆଉଟଫିଲ୍ଡ ମନିଟରିଂ ପ୍ରକ୍ରିୟା’ ଅନୁଯାୟୀ ଏହି ଦଣ୍ଡ ଲାଗୁ କରାଯାଇଛି।

ଆଇସିସିର ଏଲିଟ୍ ପ୍ୟାନେଲ୍ ମ୍ୟାଚ୍ ରେଫରି ଜେଫ୍ କ୍ରୋ କହିଛନ୍ତି ଯେ, ପିଚ୍‌ଟି ସମ୍ପୂର୍ଣ୍ଣ ଭାବେ ବୋଲରମାନଙ୍କ ପକ୍ଷରେ ଥିଲା ଏବଂ ବ୍ୟାଟିଂ ପାଇଁ ଯଥେଷ୍ଟ ସୁଯୋଗ ଦେଉନଥିଲା। ଦୁଇ ଦିନରେ ଅତ୍ୟଧିକ ସଂଖ୍ୟକ ୱିକେଟ୍ ପଡ଼ିବା ଓ କୌଣସି ଭଲ ବ୍ୟାଟିଂ ପ୍ରଦର୍ଶନ ନ ହେବା ଏହାକୁ ସ୍ପଷ୍ଟ କରେ ବୋଲି ସେ କହିଛନ୍ତି। ଏହି କାରଣରୁ ନିୟମାନୁସାରେ MCGକୁ ଗୋଟିଏ ଡିମେରିଟ୍ ପଏଣ୍ଟ ଦିଆଯାଇଛି।