ମୁମ୍ବାଇ, ୬/୧: ଆଇପିଏଲ୍ ଦଳ କୋଲକାତା ନାଇଟ୍ ରାଇଡର୍ସ (କେକେଆର)ରୁ ବାଂଲାଦେଶୀ ପେସର୍ ମୁସ୍ତାଫିଜୁର ରହମାନଙ୍କୁ ବାଦ ଦିଆଯିବା ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମଧ୍ୟରେ ସମ୍ପର୍କ ତଣାପୋଡ଼ା ହୋଇଛି। ଏହାର ପରିଣାମ ସ୍ୱରୂପ ବିସିବି ଆସନ୍ତା ଟି-୨୦ ବିଶ୍ୱକପରେ ଭାରତରେ ଖେଳିବାକୁ ଅସ୍ୱୀକାର କରି ସମସ୍ତ ମ୍ୟାଚ୍କୁ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରିବା ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ଙ୍କୁ ଲିଖିତ ଅନୁରୋଧ କରିଛି।
ବିସିବିର ଏହି ଅନୁରୋଧ ଆଇସିସି ପାଇଁ ଏକ ଅସୁବିଧାଜନକ ସ୍ଥିତି ସୃଷ୍ଟି କରିଛି। କାରଣ ଟି-୨୦ ବିଶ୍ୱକପ ଆରମ୍ଭକୁ ମାତ୍ର ଏକ ମାସ ବାକି ଥିବା ବେଳେ ଏତେ ଅଳ୍ପ ସମୟରେ ମ୍ୟାଚ୍ ଭେନ୍ୟୁ ପରିବର୍ତ୍ତନ କରିବା ସମ୍ଭବ ନୁହେଁ। ସିଡ୍ୟୁଲିଂ, ଲଜିଷ୍ଟିକ୍ସ ଓ ସୁରକ୍ଷା ବ୍ୟବସ୍ଥା ସହିତ ସଂପୃକ୍ତ ଅନେକ ପ୍ରାୟୋଗିକ ସମସ୍ୟା ରହିଛି।
ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଇସିସି ପକ୍ଷରୁ ଭାରତରେ ନ ଖେଳିବା ସଂପର୍କିତ ନିଜ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ବିସିବିକୁ ଅନୁରୋଧ କରାଯାଇଛି।
ଏକ ଜାତୀୟ ସ୍ତରର ଇଂରାଜୀ ସମ୍ବାଦପତ୍ରର ରିପୋର୍ଟ ଅନୁସାରେ, ବିସିବିର ଆନୁଷ୍ଠାନିକ ଅନୁରୋଧ ପରେ ଆଇସିସି ପକ୍ଷରୁ ଦୁବାଇ ଓ ମୁମ୍ବାଇରେ ଏକାଧିକ ବୈଠକ ଆୟୋଜିତ ହୋଇଛି। ଏହା ସହ ଆଇସିସି ଉଭୟ ବିସିସିଆଇ ଓ ବିସିବି ସହ ନିରନ୍ତର ଯୋଗାଯୋଗରେ ରହି ବୋର୍ଡ ଦୁଇଟି ମଧ୍ୟରେ ଉତ୍ପନ୍ନ ବିବାଦର ସମାଧାନ ପାଇଁ ଉଦ୍ୟମ ଜାରି ରଖିଛି।





