ନୂଆଦିଲ୍ଲୀ: ଏକପଟେ ପଞ୍ଜାବ ବନ୍ୟାର ତାଣ୍ଡବ, ଅନ୍ୟପଟେ ଦେଶକୁ ବିଜୟ ଆଣିବାର ସ୍ବପ୍ନ— ଏହି ଦୁଇ ପରିସ୍ଥିତିରେ ମାଟିର ପୁଅମାନେ ଦେଶକୁ ଗର୍ବିତ କରିଛନ୍ତି। ରାଜଗିରରେ ଅନୁଷ୍ଠିତ ପୁରୁଷ ଏସିଆ କପ୍ ହକିରେ ଭାରତ ୮ ବର୍ଷ ପରେ ପୁଣିଥରେ ଚାମ୍ପିୟନ୍ ହୋଇଛି। ଫାଇନାଲରେ ଭାରତ ୪-୧ ଗୋଲରେ ଦକ୍ଷିଣ କୋରିଆକୁ ପରାଜିତ କରିଛି।

ବିଜୟରେ ପଞ୍ଜାବୀ ଖେଳାଳି ଦିଲପ୍ରୀତ ସିଂହଙ୍କ ୨ଟି ଗୋଲ୍ ନିର୍ଣ୍ଣାୟକ ଭୂମିକା ନେଇଥିଲା। ସୁଖଜିତ ସିଂହ ଏବଂ ଓଡ଼ିଆ ଅଭିଜ୍ଞ ଅମିତ ରୋହିଦାସ ବି ପ୍ରତ୍ୟେକ ୧ଟି କରି ଗୋଲ୍ କରିଥିଲେ। ବିଜୟ ପରେ ଦିଲପ୍ରୀତ ସିଂହ କହିଛନ୍ତି, “ଏହି ଖିତାବକୁ ଆମେ ପଞ୍ଜାବର ବନ୍ୟାପୀଡିତମାନଙ୍କୁ ସମର୍ପଣ କରୁଛୁ।”

ଏହି ସଫଳତା ସହିତ ଭାରତ ୨୦୨୬ରେ ହେବାକୁ ଥିବା FIH ବିଶ୍ୱକପ୍ ପାଇଁ ଯୋଗ୍ୟତା ଲାଭ କରିଛି। ଅପରାଜିତ ଅଭିଯାନରେ ଭାରତ ୨୦୧୩ ଫାଇନାଲରେ ଦକ୍ଷିଣ କୋରିଆଙ୍କୁ ହାରିଥିବାର ପ୍ରତିଶୋଧ ବି ନେଇଛି।

ଓଡ଼ିଆଙ୍କ ଅବଦାନ

ଏଥର ଭାରତୀୟ ଦଳରେ ଦୁଇଜଣ ଓଡ଼ିଆ ଖେଳାଳି— ଯୁବ ଫରୱାର୍ଡ ଶିଳାନନ୍ଦ ଲାକ୍ରା ଓ ଅଭିଜ୍ଞ ଅଲିମ୍ପିଆନ୍ ଅମିତ ରୋହିଦାସ—  ବିଜୟରେ ଅଙ୍ଗଭାଗୀ ହୋଇଥିଲେ। ଅମିତଙ୍କ ପାଇଁ ଏହା ତୃତୀୟ ଏସିଆ କପ୍ ପଦକ। ୨୦୧୩ରେ ସେ ରୌପ୍ୟ ଏବଂ ୨୦୧୭ରେ ସ୍ବର୍ଣ୍ଣ ପଦକ ଜିତିଥିଲେ।

ପରିବାରର ଖୁସି

ବିଜୟ ପରେ ଅମୃତସରରେ ଦିଲପ୍ରୀତଙ୍କ ପରିବାର ଉଲ୍ଲାସ ପ୍ରକାଶ କରିଛନ୍ତି। “ପୁଅ ୨ଟି ଗୋଲ କରି ଦେଶକୁ ବିଜୟ ଦେଇଥିବାରୁ ମୁଁ ଭାରି ଗର୍ବିତ,” ବୋଲି ଦିଲପ୍ରୀତଙ୍କ ମାଆ କହିଛନ୍ତି।