ହୋବାର୍ଟ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ତୃତୀୟ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆ ଅସାଧାରଣ ପ୍ରଦର୍ଶନ କରି ୫ ୱିକେଟରେ ବିଜୟ ହାସଲ କରିଛି। ଏହି ଜିତ ସହିତ ତିନି ମ୍ୟାଚର ସିରିଜ୍ ଏବେ ୧-୧ରେ ବରାବର ହୋଇଛି।
ଟସ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୦ ଓଭରରେ ୬ ୱିକେଟ ହରାଇ ୧୮୬ ରନ କରିଥିଲା। ଟିମ ଡେଭିଡ୍ ୭୪ ରନ ଓ ମାର୍କସ ଷ୍ଟୋଇନିସ୍ ୬୪ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ୍ ଖେଳିଥିଲେ। ମାଥ୍ୟୁ ସର୍ଟ ମଧ୍ୟ ୨୬ ରନ ଯୋଗାଇଥିଲେ। ଭାରତ ପକ୍ଷରୁ ଅର୍ଶଦୀପ ସିଂ ୩ଟି, ବରୁଣ ଚକ୍ରବର୍ତ୍ତି ୨ଟି ଓ ଶିବମ ଦୁବେ ୧ଟି ୱିକେଟ ନେଇଥିଲେ।
ଲକ୍ଷ୍ୟ ତାଡ଼ନ କରିବାକୁ ନାମି ଭାରତ ୧୮.୩ ଓଭରରେ ୫ ୱିକେଟ ହରାଇ ୧୮୭ ରନ କରି ମ୍ୟାଚ ଜିତିଥିଲା। ଅଭିଷେକ ଶର୍ମା ୨୫, ଶୁଭମନ ଗିଲ୍ ୧୫, ସୂର୍ଯ୍ୟକୁମାର ଯାଦବ ୨୪ ଓ ତିଳକ ବର୍ମା ୨୯ ରନ ଯୋଗାଇଥିଲେ। ଓ୍ବାସିଂଟନ ସୁନ୍ଦର ୪ ଛକା ଓ ୩ ଚୌକା ସହ ୪୯ ରନର ବିସ୍ଫୋରକ ପାଳି ଖେଳି ଭାରତକୁ ବିଜୟ ପଥରେ ନେଇଯାଇଥିଲେ।
ଅଷ୍ଟ୍ରେଲିଆ ପକ୍ଷରୁ ନାଥନ ଏଲିସ୍ ୩ଟି ୱିକେଟ ନେଇଥିଲେ। ଏହି ଜିତ ସହିତ ଭାରତ ସିରିଜ୍ରେ ଫେରି ଆସିଛି ଏବଂ ଚତୁର୍ଥ ମ୍ୟାଚ ଏବେ ନିର୍ଣାୟକ ହେବ।





