ନାଗପୁର:
୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତ ବୁଧବାର ନ୍ୟୁଜିଲାଣ୍ଡକୁ ୪୮ ରନ୍ରେ ପରାସ୍ତ କରି ଶୃଙ୍ଖଳାରେ ୧–୦ରେ ଅଗ୍ରତା ହାସଲ କରିଛି। ନାଗପୁରସ୍ଥିତ ବିଦର୍ଭ କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମରେ ଭାରତ ଉଭୟ ବ୍ୟାଟିଂ ଓ ବୋଲିଂରେ ସନ୍ତୁଳିତ ଓ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା।
ଟସ୍ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ବୋଲିଂ ବାଛିଥିଲା। ଆରମ୍ଭରେ କିଛି ଝଟକା ଲାଗିଥିଲେ ମଧ୍ୟ ଭାରତୀୟ ବ୍ୟାଟରମାନେ ପରେ ଦୃଢ଼ ଭାବେ ପାଳି ସମ୍ଭାଳିଥିଲେ। ୨୦ ଓଭରରେ ଭାରତ ୭ଟି ୱିକେଟ୍ ହରାଇ ୨୩୮ ରନ୍ ସଂଗ୍ରହ କରିଥିଲା। ଯୁବ ଓପେନର୍ ଅଭିଷେକ ଶର୍ମା ଚମତ୍କାର ଫର୍ମରେ ଥିବା ସହ ୩୫ ବଲ୍ରୁ ୮୪ ରନ୍ କରିଥିଲେ। ତାଙ୍କ ଇନିଂସରେ ୫ଟି ଚଉକା ଓ ୮ଟି ଛକା ଥିଲା। ତଳକ୍ରମରେ ରିଙ୍କୁ ସିଂ ଅପରାଜିତ ୪୪ ରନ୍ (୨୦ ବଲ୍, ୩ ଚଉକା, ୪ ଛକା) କରି ଦଳକୁ ବଡ଼ ସ୍କୋର୍ରେ ପହଞ୍ଚାଇଥିଲେ।
୨୩୯ ରନ୍ର ଲକ୍ଷ୍ୟ ପଛୁଆଇ ନ୍ୟୁଜିଲାଣ୍ଡର ଆରମ୍ଭ ବହୁତ ଦୁର୍ବଳ ରହିଥିଲା। ପ୍ରଥମ ଓଭରରେ ଅର୍ଶଦୀପ ସିଂ ଡେଭନ୍ କନୱେଙ୍କୁ ଖାତା ଖୋଲିବା ପୂର୍ବରୁ ପାଭିଲିଅନ୍କୁ ପଠାଇଥିଲେ। ପରବର୍ତ୍ତୀ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟା ରଚିନ ରବୀନ୍ଦ୍ରଙ୍କୁ ମାତ୍ର ୧ ରନ୍ରେ ଆଉଟ୍ କରି ଦଳକୁ ଆଉ ଏକ ବଡ଼ ଝଟକା ଦେଇଥିଲେ।
ପରେ ଗ୍ଲେନ୍ ଫିଲିପ୍ସ ଓ ରବିନସନ୍ କିଛି ସମୟ ପାଇଁ ପାଳି ସମ୍ଭାଳି ଅର୍ଦ୍ଧଶତକ ଭାଗିଦାରୀ ଗଢ଼ିଥିଲେ। କିନ୍ତୁ ସପ୍ତମ ଓଭରରେ ବରୁଣ ଚକ୍ରବର୍ତ୍ତୀ ରବିନସନ୍ଙ୍କୁ ଆଉଟ୍ କରିବା ପରେ ନ୍ୟୁଜିଲାଣ୍ଡ ଚାପରେ ପଡ଼ିଯାଇଥିଲା। ଭାରତୀୟ ବୋଲରମାନେ ନିୟମିତ ଅନ୍ତରାଳରେ ୱିକେଟ୍ ନେଇ କ୍ବିୱି ଦଳକୁ ୨୦ ଓଭରରେ ୧୯୦ ରନ୍ରେ ସୀମିତ ରଖିଥିଲେ।
ଫଳରେ ଭାରତ ୪୮ ରନ୍ର ଦମଦାର ବିଜୟ ସହ ଟି-୨୦ ଶୃଙ୍ଖଳାର ଆରମ୍ଭକୁ ସ୍ମରଣୀୟ କରିଛି।





