କଟକ: ପ୍ରଥମ ବଧିର କ୍ରିକେଟ୍ ଏସିଆ କପ୍ରେ ଭାରତୀୟ ଦଳ ଐତିହାସିକ ସଫଳତା ଅର୍ଜନ କରିଛି। Barabati Stadiumରେ ଆୟୋଜିତ ରୋମାଞ୍ଚକର ଫାଇନାଲ୍ ମ୍ୟାଚ୍ରେ ଭାରତ ୬ ୱିକେଟ୍ରେ ଶ୍ରୀଲଙ୍କାକୁ ପରାସ୍ତ କରି ଖିତାବ ଦଖଲ କରିଛି।
ଟସ୍ ଜିତି ଭାରତ ପ୍ରଥମେ ଶ୍ରୀଲଙ୍କାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ ୨୦ ଓଭରରେ ଶ୍ରୀଲଙ୍କା ୭ ୱିକେଟ୍ ହରାଇ ୧୪୪ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଜିମାଡୁ ମାଲକମ୍ ୬୨ ରନ୍ର ଦୃଢ଼ ଇନିଂସ୍ ଖେଳିଥିଲେ। ଆଲାନରୋଜ କଲାପ୍ ୨୨ ଓ ଗୋୟମ ଶଣକା ୧୮ ରନ୍ ଯୋଗ କରିଥିଲେ। ଭାରତ ପକ୍ଷରୁ ଯଶୋବନ୍ତ ନାଇଡୁ ୩ଟି, ସାଇ ଆକାଶ ୨ଟି ଓ ବୀରେନ୍ଦ୍ର ସିଂହ ୧ଟି ୱିକେଟ୍ ଦଖଲ କରିଥିଲେ।
୧୪୫ ରନ୍ର ଲକ୍ଷ୍ୟ ପଛୁଆଇ ଭାରତ ସନ୍ତୋଷ କେ.ଏମ୍ଙ୍କ ୪୩ ଓ ସାଇ ଆକାଶଙ୍କ ୨୭ ରନ୍ର ଉଲ୍ଲେଖନୀୟ ଅବଦାନରେ ଗୋଟିଏ ବଲ୍ ପୂର୍ବରୁ ୪ ୱିକେଟ୍ ହରାଇ ଲକ୍ଷ୍ୟ ଅତିକ୍ରମ କରିଥିଲା।
ଫାଇନାଲ୍ରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସାଇ ଆକାଶଙ୍କୁ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ବିବେଚିତ କରାଯାଇଥିଲା। ଅନ୍ୟପଟେ, ଶ୍ରୀଲଙ୍କାର ଜିମାଡୁ ମାଲକମ୍ଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ସହ ଶ୍ରେଷ୍ଠ ବ୍ୟାଟର୍ ଓ ଜିହାନ ଲାସିଡୁ ଡି’ସିଲଭାଙ୍କୁ ଶ୍ରେଷ୍ଠ ବୋଲର୍ ଭାବେ ସମ୍ମାନିତ କରାଯାଇଥିଲା।
ଉଦ୍ଯାପନୀ ଅବସରରେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ, ପୂର୍ବତନ ଆନ୍ତର୍ଜାତିକ କ୍ରିକେଟର୍ Sanjay Raul, ଏଡିସିଏ ଅଧ୍ୟକ୍ଷ ସୁମିତ ଜୈନ୍, ଓଡ଼ିଶା ବଧିର କ୍ରିକେଟ୍ ସଂଘର ମୁଖ୍ୟ କାର୍ଯ୍ୟନିର୍ବାହୀ ଶର୍ମିଳା ସୁବ୍ରମଣ୍ୟମ୍ ଓ ସଂପାଦକ ସାଗରକାନ୍ତ ସେନାପତି ସହ ଅନ୍ୟାନ୍ୟ ଅତିଥିମାନେ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ।
ଏହି ବିଜୟ ସହ ଭାରତୀୟ ବଧିର କ୍ରିକେଟ୍ ଦଳ ଏସିଆ ମଞ୍ଚରେ ନିଜ ସ୍ଥାନକୁ ଆହୁରି ମଜବୁତ କରିଛି।





