ଇନ୍ଦୋର: ଭାରତୀୟ କ୍ରିକେଟ୍‌ ଦଳର ଘରୋଇ ଦିନିକିଆ ଅପରାଜେୟ ଯାତ୍ରାରେ ଅଚାନକ ବ୍ରେକ୍‌ ଲାଗିଛି। ରବିବାର ଖେଳାଯାଇଥିବା ନିର୍ଣ୍ଣାୟକ ତୃତୀୟ ଦିନିକିଆରେ ଭାରତ ୪୧ ରନ୍‌ରେ ପରାଜିତ ହୋଇ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ୨-୧ରେ ନ୍ୟୁଜିଲାଣ୍ଡଙ୍କ ହାତକୁ ଛାଡ଼ିଦେଇଛି। ଏହି ବିଜୟ ସହ ନ୍ୟୁଜିଲାଣ୍ଡ ୧୯୮୮ ପରେ ପ୍ରଥମଥର ପାଇଁ ଭାରତ ମାଟିରେ ଏକଦିବସୀୟ ଶୃଙ୍ଖଳା ଜିତି ଇତିହାସ ଗଢ଼ିଛି।

ଅନେକ ବରିଷ୍ଠ ଖେଳାଳି ଦଳରେ ନଥିବା ସତ୍ତ୍ୱେ ନ୍ୟୁଜିଲାଣ୍ଡ ଆତ୍ମବିଶ୍ୱାସ ସହ ଖେଳି ଭାରତୀୟ ଦଳକୁ ଘରୋଇ ପରିବେଶରେ ଅସ୍ତବ୍ୟସ୍ତ କରିଦେଇଛି। ଏହି ପରାଜୟ ପରେ ଦଳର ରଣନୀତି, ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ଯୁବ ଅଧିନାୟକ ଶୁବମନ୍‌ ଗିଲ୍‌ଙ୍କ ନେତୃତ୍ୱକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୫୦ ଓଭରରେ ୮ ୱିକେଟ୍‌ ହାରାଇ ୩୩୭ ରନ୍‌ କରିଥିଲା। ଡାରିଲ ମିଚେଲଙ୍କ ଆକ୍ରମଣାତ୍ମକ ୧୩୭ ରନ୍‌ ଓ ଗ୍ଲେନ୍‌ ଫିଲିପ୍ସଙ୍କ ୧୦୬ ରନ୍‌ର ପାଳି ଦଳକୁ ଶକ୍ତ ଭିତ୍ତି ଦେଇଥିଲା। ଭାରତ ପକ୍ଷରୁ ଅର୍ଶଦୀପ ସିଂହ ଓ ହର୍ଷିତ ରାଣା ୩ଟି କରି ୱିକେଟ୍‌ ନେଇଥିଲେ।

୩୩୮ ରନ୍‌ର ଲକ୍ଷ୍ୟ ପଛୁଆଇ ଭାରତୀୟ ଦଳ ବିରାଟ କୋହଲିଙ୍କ ସାହସିକ ୧୨୪ ରନ୍‌ର ଶତକ ସତ୍ତ୍ୱେ ୪୬ ଓଭରରେ ୨୯୬ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ନୀତୀଶ କୁମାର ରେଡ୍ଡୀ ଓ ହର୍ଷିତ ରାଣା ଉପଯୋଗୀ ଅର୍ଧଶତକ କରିଥିଲେ ମଧ୍ୟ ଦଳକୁ ବିଜୟ ପର୍ଯ୍ୟନ୍ତ ନେଇଯିବାକୁ ସମର୍ଥ ହୋଇନଥିଲେ।

ଏହି ପରାଜୟ ସହ ୨୦୨୨ ଅକ୍ଟୋବର ପରେ ଟସ୍‌ ଜିତିବା ପରେ ଭାରତର ପ୍ରଥମ ହାର ଆସିଛି ଏବଂ ଘରେ ଲଗାତାର ୧୩ଟି ଦିନିକିଆ ବିଜୟର ଧାରା ମଧ୍ୟ ଭଙ୍ଗିଛି। ଶୃଙ୍ଖଳାରେ ସର୍ବାଧିକ ୩୫୨ ରନ୍‌ କରିଥିବା ଡାରିଲ ମିଚେଲ ମ୍ୟାଚ୍‌ ଓ ଶୃଙ୍ଖଳା – ଉଭୟର ଶ୍ରେଷ୍ଠ ଖେଳାଳି ଘୋଷିତ ହୋଇଛନ୍ତି।

ସଂକ୍ଷିପ୍ତ ସ୍କୋର:

ନ୍ୟୁଜିଲାଣ୍ଡ: ୫୦ ଓଭରରେ ୩୩୭/୮

ଭାରତ: ୪୬ ଓଭରରେ ୨୯୬