ମୁଲାନପୁର, 11/12: ଦକ୍ଷିଣ ଆଫ୍ରିକା ବିରୋଧରେ ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚ୍ରେ ଭାରତ 51 ରନ୍ରେ ଭାରୀ ପରାଜୟ ବରଣ କରିଛି। ବୋଲିଂ ଏବଂ ବ୍ୟାଟିଂ ଦୁହିମୁଖ୍ୟ ବିଭାଗର ଅସଫଳତା ଭାରତକୁ ବଡ଼ ବ୍ୟବଧାନରେ ହାରିବାକୁ ବାଧ୍ୟ କରିଛି। ଏହି ବିଜୟ ସହ ଆଡେନ୍ ମାର୍କରମ୍ଙ୍କ ଦଳ 5 ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ 1-1ରେ ସମତା କରିଛି।
ଡି କକ୍ର ଧମାକେଦାର ପାଳି, SAର ବଡ଼ ସ୍କୋର
ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା 20 ଓଭରରେ 4 ୱିକେଟ୍ରେ 213 ରନ୍ର ମୋଟ ଗଢ଼ିଥିଲା। ଓପେନର କ୍ୱିଣ୍ଟନ ଡି କକ୍ 46 ବଲ୍ରେ 7 ଛକା ସହାୟତାରେ 90 ରନ୍ର ବିସ୍ଫୋରକ ପାଳି ଖେଳିଥିଲେ।
ଶେଷ ସମୟରେ ଡୋନାଭାନ୍ ଫେରେରା (16 ବଲ୍ରେ 30) ଏବଂ ଡେଭିଡ୍ ମିଲର୍ (12 ବଲ୍ରେ 20) ଦ୍ରୁତ ରନ୍ ଯୋଗ କରି SAକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଥିଲେ।
ଭାରତୀୟ ବୋଲରମାନେ ବିଶେଷ କରି ଯଶପ୍ରୀତ ବୁମରା ଏବଂ ଅର୍ଶଦୀପ ସିଂହ ବହୁତ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଅର୍ଶଦୀପ ତ ଏକ ଓଭରରେ 7ଟି ୱାଇଡ୍ ବଲ୍ ପକାଇ ଦଳକୁ ଚାପରେ ପକାଇଥିଲେ।
ରନ୍ ଚେସ୍ରେ ଭାରତର ତାସ ମହଲ, ତିଳକଙ୍କ ଏକକ ଲଢ଼ାଇ
214 ରନ୍ର ଲକ୍ଷ୍ୟ ପିଛା କରିବାକୁ ନାମିଥିବା ଭାରତୀୟ ଦଳ 19.1 ଓଭରରେ 162 ରନ୍ କରି ଅଲ୍-ଆଉଟ୍ ହୋଇଯାଇଥିଲା।
ପାୱରପ୍ଲେ ଭିତରେ ଶୁବମାନ ଗିଲ୍, ଅଭିଷେକ ଶର୍ମା ଏବଂ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ୱିକେଟ୍ ଖସିବା ସହିତ ଭାରତ ରନ୍ଚେସ୍ରେ ଆରମ୍ଭରୁ ବିପଦରେ ପଡ଼ିଥିଲା।
ତିଳକ ବର୍ମା 34 ବଲ୍ରେ 62 ରନ୍ର ଦୃଢ଼ ପାଳି ଖେଳିଥିଲେ, କିନ୍ତୁ ସେଥି ମାଧ୍ୟମରେ କେବଳ ପରାଜୟର ବ୍ୟବଧାନକୁ କମେଇବାରେ ସଫଳ ହେଲେ।
SA ବୋଲରମାନଙ୍କ ଦାଦାଗିରି, ବାର୍ଟମ୍ୟାନ୍ଙ୍କ 4 ୱିକେଟ୍
ଦକ୍ଷିଣ ଆଫ୍ରିକା ପାଇଁ ଓଟନିଏଲ୍ ବାର୍ଟମ୍ୟାନ୍ 4 ଓଭରରେ ମାତ୍ର 24 ରନ୍ ଦେଇ 4 ୱିକେଟ୍ ନେଇ ଭାରତୀୟ ବ୍ୟାଟିଂକୁ ନଡ଼ି ଦେଇଥିଲେ।
ଲୁଙ୍ଗି ଏନଗିଡି, ମାର୍କୋ ୟାନସେନ୍ ଏବଂ ଲୁଥୋ ସିପାମଲା ପ୍ରତ୍ୟେକ 2ଟି କରି ୱିକେଟ୍ ନେଇ ଭାରତୀୟ ଲାଇନ୍-ଅପ୍କୁ ଭୁଶୁଡ଼ାଇ ଦେଇଥିଲେ।





