ଲାହୋର: କୁଟନୈତିକ ତଣାତଣି ମଧ୍ୟରେ ବିଶ୍ୱକପ୍‌ରେ ଭାରତ–ପାକିସ୍ତାନ ମ୍ୟାଚ୍‌ ବାତିଲ ହେବା ନେଇ ଯେଉଁ ଅନିଶ୍ଚିତତା ସୃଷ୍ଟି ହୋଇଥିଲା, ସେଥିରେ ଏବେ ନରମ ପରିସ୍ଥିତି ଦେଖାଦେଇଛି। ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ପୂର୍ବରୁ ଭାରତ ବିପକ୍ଷରେ ମ୍ୟାଚ୍‌ ଖେଳିବାକୁ ଅନିଚ୍ଛା ପ୍ରକାଶ କରିଥିଲେ ମଧ୍ୟ, ଆଇସିସି ସହ ଆଲୋଚନା ପରେ ମନୋଭାବରେ ପରିବର୍ତ୍ତନର ସଙ୍କେତ ମିଳିଛି।

ପିସିବି ମୁଖ୍ୟ ମୋହସିନ ନକଭୀ ଲାହୋରରେ ବାଂଲାଦେଶ କ୍ରିକେଟ୍‌ ବୋର୍ଡ ଅଧ୍ୟକ୍ଷ ଅମିନୁଲ ଇସଲାମ, ଆଇସିସି ଉପାଧ୍ୟକ୍ଷ ଇମ୍ରାନ ଖୱାଜା ଓ ଆଇସିସି ପ୍ରଶାସନିକ ପଦାଧିକାରୀଙ୍କ ସହ ବୈଠକ କରିଥିଲେ। ଏହା ପରେ ସେ କହିଛନ୍ତି ଯେ, ଅତିଥି ଦଳ ଆସିଲେ କିଛି କଥା ଭୁଲିବାକୁ ପଡ଼େ ଏବଂ ଖୁବ୍‌ଶୀଘ୍ର ଏନେଇ ପିସିବି ପକ୍ଷରୁ ଆନୁଷ୍ଠାନିକ ଘୋଷଣା ହେବ।

ଏପର୍ଯ୍ୟନ୍ତ ପିସିବି ଭାରତ ବିପକ୍ଷ ମ୍ୟାଚ୍‌ ପାଇଁ କିଛି ସର୍ତ୍ତ ରଖିଥିଲା। ଏଥିରେ ଦ୍ବିପାକ୍ଷିକ ଶୃଙ୍ଖଳା, ତ୍ରିରାଷ୍ଟ୍ରୀୟ ସିରିଜ୍‌ ଓ ଅନ୍ୟାନ୍ୟ ଆୟୋଜନ ସମ୍ପର୍କିତ ପ୍ରସ୍ତାବ ଥିଲା। କିନ୍ତୁ ଆଇସିସି ଏହି ସମସ୍ତ ସର୍ତ୍ତକୁ ଅସ୍ୱୀକାର କରିଥିବା ସୂଚନା ମିଳିଛି। ଆଇସିସି ସ୍ପଷ୍ଟ କରିଛି ଯେ, କୌଣସି ଦେଶକୁ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳିବାକୁ ବାଧ୍ୟ କରିପାରିବ ନାହିଁ।

ସେପଟେ ପାକିସ୍ତାନ ଦଳର କିଛି ଖେଳାଳି ମଧ୍ୟ ଭାରତ ସହ ସମସ୍ତ ଦଳ ବିପକ୍ଷରେ ମ୍ୟାଚ୍‌ ଖେଳିବାକୁ ପ୍ରସ୍ତୁତ ବୋଲି ମତ ପ୍ରକାଶ କରିଛନ୍ତି। ଶ୍ରୀଲଙ୍କା ଓ ଏମିରେଟ୍ସ କ୍ରିକେଟ୍‌ ବୋର୍ଡ ମଧ୍ୟ ପିସିବିକୁ ନିଷ୍ପତ୍ତି ପୁନର୍ବିଚାର କରିବାକୁ ଅନୁରୋଧ କରିଥିବା ଜଣାପଡ଼ିଛି।

ଏହି ପରିସ୍ଥିତିରେ ଶେଷ ନିଷ୍ପତ୍ତି ପାକିସ୍ତାନ ସରକାରଙ୍କ ସ୍ତରରେ ହେବ ବୋଲି ପିସିବି ପକ୍ଷରୁ ସୂଚନା ଦିଆଯାଇଛି। ତଥାପି ବର୍ତ୍ତମାନର ସଙ୍କେତ ଅନୁଯାୟୀ ଭାରତ–ପାକିସ୍ତାନ ମ୍ୟାଚ୍‌ ବାତିଲ ହେବାର ସମ୍ଭାବନା କମ୍‌ ମନେ କରାଯାଉଛି।