ଦୁବାଇ, ୧୯।୧୨:
ସିନିଅର୍ ମେନ୍ସ ଏସିଆ କପ୍ ୨୦୨୫ ପରେ ଅଣ୍ଡର-୧୯ ମେନ୍ସ ଏସିଆ କପ୍ ୨୦୨୫ରେ ମଧ୍ୟ ଭାରତ ନିଜ ଦମଦାର ପ୍ରଦର୍ଶନ ଜାରି ରଖିଛି। ଦୁବାଇରେ ଚାଲିଥିବା ଏହି ଟୁର୍ନାମେଣ୍ଟର ସେମିଫାଇନାଲ୍ରେ ଶ୍ରୀଲଙ୍କାକୁ ୮ ଉଇକେଟ୍ରେ ହରାଇ ଭାରତୀୟ ଅଣ୍ଡର-୧୯ ଦଳ ଫାଇନାଲ୍ରେ ସ୍ଥାନ ସୁନିଶ୍ଚିତ କରିଛି। ଟାଇଟଲ୍ ମୁକାବିଲାରେ ଏବେ ଭାରତର ସାମ୍ନା ପାକିସ୍ତାନ ସହିତ ହେବ।
ଆୟୁଷ ମାହାତ୍ରେଙ୍କ ଅଧିନାୟକତ୍ୱରେ ଖେଳୁଥିବା ଟିମ୍ ଇଣ୍ଡିଆ ସେମିଫାଇନାଲ୍ରେ ସଂଯମ ଓ ଆକ୍ରମଣାତ୍ମକ ଖେଳର ସୁନ୍ଦର ସମନ୍ୱୟ ଦେଖାଇଥିଲା। ଅନ୍ୟ ସେମିଫାଇନାଲ୍ରେ ପାକିସ୍ତାନ ବାଂଲାଦେଶକୁ ପରାଜିତ କରି ଫାଇନାଲ୍ ଟିକଟ କାଟିଛି।
ବର୍ଷା ବାଧା ଯୋଗୁଁ ଉଭୟ ସେମିଫାଇନାଲ୍ ସମୟମତେ ଆରମ୍ଭ ହୋଇପାରିନଥିଲା। ଫଳସ୍ୱରୂପ ୫୦ ଓଭରର ମ୍ୟାଚ୍କୁ ସଂକ୍ଷିପ୍ତ କରାଯାଇ ଭାରତ–ଶ୍ରୀଲଙ୍କା ମୁକାବିଲା ଟି୨୦ ଫର୍ମାଟ୍ରେ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୮ ଉଇକେଟ୍ ହରାଇ ୧୩୮ ରନ କରିଥିଲା। ଦଳ ପକ୍ଷରୁ ଅଧିନାୟକ ଭିମତ ଦିନସରା ୩୨ ରନ ଏବଂ ଚାମିକା ହୀନାତିଗାଲା ୪୨ ରନ ଯୋଗ କରିଥିଲେ। ତଳ ଅର୍ଡରରେ ସେତମିକା ସେନାଭିରତ୍ନେ ଦ୍ରୁତ ୩୦ ରନ କରି ସ୍କୋରକୁ ମଜବୁତ କରିଥିଲେ। ଭାରତ ପକ୍ଷରୁ କନିଷ୍କ ଚୌହାନ ଓ ହେନିଲ ପଟେଲ ୨ଟି କରି ଉଇକେଟ୍ ନେଇଥିଲେ।
ଲକ୍ଷ୍ୟ ପଛୁଆ କରିବାବେଳେ ଭାରତୀୟ ଦଳ ଆରମ୍ଭରେ ଝଟକା ଖାଇଥିଲା। କେବଳ ୨୫ ରନରେ ଅଧିନାୟକ ଆୟୁଷ ମାହାତ୍ରେ ଓ ବୈଭବ ସୂର୍ଯ୍ୟବଂଶୀ ଆଉଟ୍ ହୋଇଯାଇଥିଲେ। ତେବେ ବିହାନ ମଲ୍ହୋତ୍ରା ଓ ଆରନ୍ ଜର୍ଜ କ୍ରିଜ୍ରେ ଜମି ଯାଇ ଦଳକୁ ଆତ୍ମବିଶ୍ୱାସ ଦେଇଥିଲେ। ଉଭୟ ଅଜେୟ ୧୧୪ ରନର ଭାଗୀଦାରୀ କରି ୧୮ ଓଭରରେ ଲକ୍ଷ୍ୟ ପୂରଣ କରି ଭାରତକୁ ଫାଇନାଲ୍ରେ ପହଞ୍ଚାଇଥିଲେ।
ଏବେ ରବିବାର, ୨୧ ଡିସେମ୍ବରରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏହି ଟୁର୍ନାମେଣ୍ଟର ଫାଇନାଲ୍ ଖେଳାଯିବ। ଭାରତ ରେକର୍ଡ ଅଷ୍ଟମ ଥର ପାଇଁ ଅଣ୍ଡର-୧୯ ଏସିଆ କପ୍ ଫାଇନାଲ୍ ଖେଳିବାକୁ ଯାଉଥିବାବେଳେ, ପାକିସ୍ତାନ ଚତୁର୍ଥ ଥର ପାଇଁ ଟାଇଟଲ୍ ମୁକାବିଲାରେ ପହଞ୍ଚିଛି।
ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ଅପରାଜିତ ଥିବା ଭାରତୀୟ ଦଳ ଫାଇନାଲ୍ରେ ଟାଇଟଲ୍ର ଦାବିଦାର ଭାବେ ଓହ୍ଲାଇବ। ଗ୍ରୁପ୍ ଷ୍ଟେଜ୍ରେ ମଧ୍ୟ ପାକିସ୍ତାନକୁ ହରାଇଥିବା ଟିମ୍ ଇଣ୍ଡିଆ ଏହି ରୋମାଞ୍ଚକର ଫାଇନାଲ୍ରେ ନିଜ ପ୍ରଭୁତ୍ୱ ଜାରି ରଖିପାରିବ କି ନାହିଁ, ସେଥିପାଇଁ କ୍ରିକେଟ୍ ପ୍ରେମୀମାନେ ଅପେକ୍ଷାରେ ରହିଛନ୍ତି।





