ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସାରା ଦେଶରେ ଆକ୍ରୋଶ ଓ ପ୍ରତିବାଦ ତିବ୍ର ହୋଇଯାଇଛି। ପୂର୍ବରୁ ଯେଉଁଠି ଏହି ମହାମୁକାବିଲାକୁ କ୍ରିକେଟ୍‌ପ୍ରେମୀମାନେ ବିଶେଷ ଉତ୍ସାହର ସହ ପ୍ରତୀକ୍ଷା କରୁଥିଲେ, ଏଥର ପହଲଗାମ ଆତଙ୍କୀ ଆକ୍ରମଣର ପରିପ୍ରେକ୍ଷାରେ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ହୋଇଛି। ଦେଶବାସୀଙ୍କ ମଧ୍ୟରେ ପ୍ରଶ୍ନ ଉଠୁଛି—“ଯେଉଁ ଦେଶ ଆତଙ୍କବାଦକୁ ପାଳି, ଆମ ସହୋଦରମାନଙ୍କ ପ୍ରାଣ ହରାଇଦେଲା, ସେହି ପାକିସ୍ତାନ ସହ ଖେଳ କାହିଁକି?”

ଆତଙ୍କୀ ଆକ୍ରମଣରେ ପ୍ରିୟଜନଙ୍କୁ ହରାଇଥିବା ପରିବାରଗୁଡ଼ିକ ଖୋଲା ମନରେ ବିସିଆଇଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ଗୁଜୁରାଟର ଜଣେ ମହିଳା, ଯିଏ ତାଙ୍କ ସ୍ୱାମୀ ଓ ପୁଅଙ୍କୁ ହରାଇଥିଲେ, ସ୍ପଷ୍ଟ କହିଛନ୍ତି ଯେ ଏହି ମ୍ୟାଚ୍ ସେମାନଙ୍କ ଦୁଃଖକୁ ଆଉ ବଢ଼ାଉଛି। ସେହିପରି, ଜଣେ ଯୁବକ ଯିଏ ପିତା ଓ ଭାଇଙ୍କୁ ହରାଇଥିଲେ, ସେ କହିଛନ୍ତି—“ପାକିସ୍ତାନ ସହ ଯଦି ମ୍ୟାଚ୍ ଖେଳିବ, ପ୍ରଥମେ ମୋ ପ୍ରିୟଜନଙ୍କୁ ଫେରାଇଦିଅ।”

ରାଜନେତିକ ସ୍ତରରେ ମଧ୍ୟ ପ୍ରତିବାଦର ଧାରା ବଢ଼ିଛି। ବିଭିନ୍ନ ଦଳ ପାକିସ୍ତାନ ସହ କୌଣସି ସମ୍ପର୍କ ନରଖିବାକୁ ସରକାରକୁ ଦାବି କରିଛନ୍ତି। ଅନେକ ସଂଗଠନ ବଡ଼ ସ୍କ୍ରିନ୍‌ରେ ମ୍ୟାଚ୍‌ର ପ୍ରସାରଣ କଲେ “ଭୟାବହ ପରିସ୍ଥିତି” ସୃଷ୍ଟି କରିଦେବାର ଧମକ ମଧ୍ୟ ଦେଇଛନ୍ତି।

ଟିକେଟ୍ ବିକ୍ରିରେ ଅପ୍ରତ୍ୟାଶିତ ମାନ୍ଦାବସ୍ଥା, କେତେକ IPL ଫ୍ରାଞ୍ଚାଇଜ୍‌ଙ୍କର ଏହି ମ୍ୟାଚ୍‌କୁ ବର୍ଜନ, ଏବଂ ସାରା ଦେଶରେ ବିରୋଧୀ ଧ୍ୱନି—ସବୁମିଶି ଏଥରର ଭାରତ-ପାକିସ୍ତାନ ମୁକାବିଲାକୁ ବିବାଦରେ ଘେରିଦେଇଛି।

ହେଲେ, ସତ୍ତ୍ୱେ BJPର କିଛି ନେତା କହିଛନ୍ତି ଯେ, “ଖେଳ ହେଲେ, ପାକିସ୍ତାନକୁ ପ୍ରତିଷ୍ଠାର ସହିତ ହରାଇବୁ।” କିନ୍ତୁ ଦେଶର ଏହି ତୀବ୍ର ଆକ୍ରୋଶ ପ୍ରମାଣ କରୁଛି, ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତୀୟମାନଙ୍କ ମନରେ ପାକିସ୍ତାନ ପ୍ରତି ଅସନ୍ତୋଷ କେତେ ଗଭୀର।