କୋଲକାତା: ଚଳିତ ଟ୍ୱେଣ୍ଟି–୨୦ ବିଶ୍ୱକପ୍‌ରେ ସେମିଫାଇନାଲ୍‌ ପ୍ରବେଶ ପାଇଁ ରବିବାର ଐତିହାସିକ ଇଡେନ୍‌ ଗାର୍ଡେନ୍ସରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ହାଇଭୋଲ୍ଟେଜ୍‌ ସୁପର–୮ ମୁକାବିଲା ଖେଳାଯିବ। ଉଭୟ ଦଳ ପାଇଁ ଏହି ମ୍ୟାଚ୍‌ କ୍ୱାର୍ଟର ଫାଇନାଲ୍‌ ସଦୃଶ ହୋଇଥିବା ବେଳେ ଜିତୁଥିବା ଦଳ ସେମିଫାଇନାଲ୍‌ରେ ପ୍ରବେଶ କରିବ ଓ ପରାଜିତ ଦଳକୁ ବିଦାୟ ନେବାକୁ ପଡ଼ିବ।

କୌଣସି କାରଣରୁ ମ୍ୟାଚ୍‌ ବାତିଲ ହେଲେ ଉଭୟ ଦଳ ୩ ପଏଣ୍ଟ୍‌ ଲେଖାଏଁ ପାଇବେ। ତେବେ ଉତ୍କୃଷ୍ଟ ନେଟ୍‌ ରନ୍‌ ରେଟ୍‌ ଆଧାରରେ ୱେଷ୍ଟଇଣ୍ଡିଜ୍‌ ସେମିଫାଇନାଲ୍‌ରେ ପହଞ୍ଚିବା ସମ୍ଭାବନା ଅଧିକ ରହିଛି। ଏହି କାରଣରୁ ଭାରତ ପାଇଁ ଜିତିବା ଅତ୍ୟାବଶ୍ୟକ ହୋଇପଡ଼ିଛି।

ସୁପର–୮ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାଠାରୁ ପରାଜୟ ପରେ ଭାରତ ଚାପରେ ପଡ଼ିଥିଲା। ହେଲେ ପରବର୍ତ୍ତୀ ମ୍ୟାଚ୍‌ରେ ଜିମ୍ବାୱେକୁ ୭୨ ରନ୍‌ରେ ପରାସ୍ତ କରି ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଦଳ ସେମିଫାଇନାଲ୍‌ ଆଶାକୁ ଜୀବନ୍ତ ରଖିଛି। ଏବେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚ୍‌ ଭାରତ ପାଇଁ ଶେଷ ବଡ଼ ପରୀକ୍ଷା ହେବ।

ଇଡେନ୍‌ ଗାର୍ଡେନ୍ସର ପରିସ୍ଥିତି ଇଣ୍ଡିଜ୍‌ ପକ୍ଷରେ ସାମାନ୍ୟ ଫାଇଦା ଦେଇପାରେ। କାରଣ ସେମାନେ ଏଠାରେ ପୂର୍ବରୁ ଦୁଇଟି ମ୍ୟାଚ୍‌ ଖେଳି ଜିତିସାରିଛନ୍ତି। ଅନ୍ୟପଟେ ଭାରତ ଏଠାରେ ପ୍ରଥମ ମ୍ୟାଚ୍‌ ଖେଳିବ। ତଥାପି ଇଡେନ୍‌ରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ସମସ୍ତ ଟ୍ୱେଣ୍ଟି–୨୦ ମ୍ୟାଚ୍‌ରେ ଭାରତ ୱେଷ୍ଟଇଣ୍ଡିଜ୍‌କୁ ପରାଜିତ କରିଥିବା ରେକର୍ଡ ଦଳକୁ ଆତ୍ମବିଶ୍ୱାସ ଦେଇଛି।

ପାଗ ରହିବ ଅନୁକୂଳ

ଭାରତୀୟ ପାଣିପାଗ ବିଭାଗ ଅନୁସାରେ ରବିବାର କୋଲକାତାର ପାଗ ମୁଖ୍ୟତଃ ଶୁଖିଲା ରହିବ। ସନ୍ଧ୍ୟାରେ ବର୍ଷାର ସମ୍ଭାବନା ନଥିବାରୁ ପୂର୍ଣ୍ଣ ମ୍ୟାଚ୍‌ ହେବା ଆଶା କରାଯାଉଛି। ମ୍ୟାଚ୍‌ ସନ୍ଧ୍ୟା ୭ଟାରେ ଆରମ୍ଭ ହେବା ସହ ଟସ୍‌ ୬.୩୦ରେ ପଡ଼ିବ।

କାକର ହେବ ମୁଖ୍ୟ ଚ୍ୟାଲେଞ୍ଜ

ରାତିରେ କାକର ପଡ଼ିବା ସମ୍ଭାବନା ଥିବାରୁ ଟସ୍‌ ଗୁରୁତ୍ୱପୂର୍ଣ୍ଣ ହେବ। ପଶ୍ଚାତଧାବନ କରୁଥିବା ଦଳ ପାଇଁ ସୁବିଧା ମିଳିପାରେ ବୋଲି ଇଡେନ୍‌ ଗାର୍ଡେନ୍ସ କ୍ୟୁରେଟର୍‌ ସୂଚନା ଦେଇଛନ୍ତି।

ଦଳରେ ବଡ଼ ପରିବର୍ତ୍ତନ ସମ୍ଭାବନା କମ୍

ଜିମ୍ବାୱେ ବିପକ୍ଷ ଜୟ ପରେ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ ହେବା ସମ୍ଭାବନା କମ୍‌। ଶୀର୍ଷକ୍ରମ ବ୍ୟାଟର୍‌ମାନେ ଫର୍ମକୁ ଫେରିଥିବା ବେଳେ ହାର୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ଦଳକୁ ଶକ୍ତି ଦେଇଛି। ତେବେ ବୋଲିଂ ବିଭାଗର ଅଧିକ ରନ୍‌ ବ୍ୟୟ ଏପର୍ଯ୍ୟନ୍ତ ଚିନ୍ତାର କାରଣ ରହିଛି।

ସମ୍ଭାବ୍ୟ ଭାରତ:

ଅଭିଷେକ ଶର୍ମା, ସଞ୍ଜୁ ସାମସନ୍‌, ଈଶାନ କିଶନ, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଳକ ବର୍ମା, ଶିବମ ଦୁବେ, ହାର୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ଯଶପ୍ରୀତ ବୁମ୍ରା, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ।

ସମ୍ଭାବ୍ୟ ୱେଷ୍ଟଇଣ୍ଡିଜ୍‌:

ବ୍ରାଣ୍ଡନ୍ କିଙ୍ଗ୍, ସାଇ ହୋପ୍‌ (ଅଧିନାୟକ), ସିମରନ୍‌ ହେଟମାୟର, ରୋଭମନ ପାୱେଲ, ସେରଫାନ୍‌ ରଦରଫୋର୍ଡ, ରୋମାରିଓ ସେପର୍ଡ, ଜାସନ ହୋଲ୍ଡର, ମାଥ୍ୟୁ ଫର୍ଡେ, ଅକିଲ ହୁସେନ, ଗୁଡକେଶ ମୋତି, ସମର ଯୋଶେଫ।