ବିଶାଖାପାଟଣା:

ବିଶାଖାପାଟଣାରେ ଶୁକ୍ରବାର ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ତୃତୀୟ T-20 ମ୍ୟାଚ୍‌ରେ ଭାରତୀୟ ମହିଳା କ୍ରିକେଟ୍ ଦଳ ୭ ୱିକେଟ୍‌ରେ ଦମଦାର ବିଜୟ ହାସଲ କରିଛି। ଏହି ବିଜୟ ସହିତ ଟିମ୍‌ ଇଣ୍ଡିଆ ୩-୦ରେ ସିରିଜ ଜିତି ନେଇଛି।

ଟସ୍‌ ଜିତି ଭାରତ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୧୧୨ ରନ୍‌ କରିପାରିଥିଲା। ଶ୍ରୀଲଙ୍କା ପକ୍ଷରୁ ହର୍ଷିତା ସମରବିକ୍ରମା ୩୩ ରନ୍‌ ଏବଂ ଅଧିନାୟିକା ଚମରି ଅଥପଥୁ ୩୧ ରନ୍‌ କରିଥିଲେ। ଭାରତ ପକ୍ଷରୁ ବୈଷ୍ଣବୀ ଶର୍ମା ଓ ଶ୍ରୀ ଚାରଣି ୨ଟି ଲେଖାଏଁ ୱିକେଟ୍‌ ନେଇ ଶ୍ରୀଲଙ୍କାକୁ ଅଳ୍ପ ସ୍କୋରରେ ଅଟକାଇଥିଲେ।

ଲକ୍ଷ୍ୟ ପଛୁଆ କରି, ଭାରତୀୟ ଦଳ ମାତ୍ର ୧୪ତମ ଓଭରରେ ୩ ୱିକେଟ୍‌ ହରାଇ ଜିତି ନେଇଥିଲା। ଓପେନର୍ ଶେଫାଲି ବର୍ମା ଆକ୍ରମଣାତ୍ମକ ବ୍ୟାଟିଂ କରି ମ୍ୟାଚ୍‌ର ନାୟିକା ସାବ୍ୟସ୍ତ ହୋଇଥିଲେ। ସେ ମାତ୍ର ୨୪ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିଲେ ଏବଂ ୪୨ ବଲ୍‌ରେ ୭୯ ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ। ତାଙ୍କ ଇନିଂସରେ ୧୧ ଚୌକା ଓ ୩ ଛକା ଥିଲା, ଯାହାର ଷ୍ଟ୍ରାଇକ୍‌ ରେଟ୍‌ ୧୮୮ରୁ ଅଧିକ ରହିଥିଲା।

ଅଧିନାୟିକା ହରମନପ୍ରୀତ କୌର ୨୧ ରନ୍‌ କରି ଅପରାଜିତ ରହିଥିବା ବେଳେ, ସ୍ମୃତି ମନ୍ଧାନା ଏହି ମ୍ୟାଚ୍‌ରେ ବିଫଳ ହୋଇ ମାତ୍ର ୧ ରନ୍‌ କରିଥିଲେ। ଜେମିମା ରୋଡ୍ରିଗ୍ସ ୯ ରନ୍‌ କରିଥିଲେ।

ଏହି ଜବରଦସ୍ତ ପ୍ରଦର୍ଶନ ସହିତ ଭାରତୀୟ ମହିଳା ଦଳ ଶ୍ରୀଲଙ୍କା ବିପକ୍ଷ T-20 ସିରିଜକୁ ସଫଳତାର ସହ ୩-୦ରେ କ୍ଲିନ୍‌ ସ୍ୱିପ୍‌ କରିଛି।